ଓଡ଼ିଶା 365 (ବ୍ୟୁରୋ): ଆଉ ଦିନ କେଇଟା ପରେ ଦଶହରା, ମାଆଙ୍କ ଆଗମନରେ ଚଳଚଞ୍ଚଳ ଗାଁ ଠୁ ସହର । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଏହି ନବରାତ୍ରୀ ପୂଜାର ରହିଛି ମହାତ୍ମ୍ୟ । ବିଶେଷ କରି ଏହି ନଅ ଦିନରେ ମା’ ୯ ରୂପରେ ପୂଜା ପାଇଥାନ୍ତି । ଆଜି ନବରାତ୍ରର ପଞ୍ଚମ ଦିନରେ ଦେବୀ ଦୁର୍ଗା ସ୍କନ୍ଧମାତା ରୂପରେ ପୂଜା ପାଇଥାନ୍ତି । ମା ଦୁର୍ଗାଙ୍କର ପଞ୍ଚମ ସ୍ୱରୂପର ନାମ ସ୍କନ୍ଦମାତା। କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ । ଏହି ରୂପରେ ମାତା ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି । ମା’ଙ୍କ ଏହି ବେଶରେ ଚାରୋଟି ହସ୍ତ ଥାଏ । ଗୋଟିଏ ହାତରେ ମା’ ସ୍କନ୍ଦଙ୍କୁ ଧରିଥିବା ବେଳେ ଅନ୍ୟ ହାତରେ ପଦ୍ମଫୁଲ ସହ ବରଦାନ ମୁଦ୍ରାରେ ଥାନ୍ତି।
ସ୍କନ୍ଦମାତାଙ୍କର ବାହାନ ସିଂହ ହୋଇଥିବାବେଳେ କଦଳୀର ଭୋଗ ସବୁଠୁ ପ୍ରିୟ । ଏହା ସହ କ୍ଷୀରିରେ କେଶର ମିଶାଇ ମାଆଙ୍କ ପାଖରେ ପ୍ରସାଦ ଲାଗି ହୋଇଥାଏ । ସ୍କନ୍ଦମାତା ସୂର୍ୟ୍ୟମଣ୍ଡଳର ଅଧିଷ୍ଠାତୀ ଦେବୀ ଅଟନ୍ତି। ପଦ୍ମ ଉପରେ ବିରାଜମାନ ହୋଇଥିବା ଯୋଗୁଁ ତାଙ୍କୁ ପଦ୍ମାସନ ଦେବୀ ମଧ୍ୟ କୁହାଯାଏ । ମା’ଙ୍କୁ ଏହି ରୂପରେ ଭକ୍ତ ଆରଧାନା କଲେ ବାଧା ବିଘ୍ନ ଦୂର ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।