ଓଡ଼ିଶା365(ବ୍ୟୁରୋ): ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଇମଣୀ ନିକଟରେ ଆମ୍ବୁଲାନ୍ସକୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍। ଏଥିରେ ୮ ଜଣ ଛାତ୍ରୀଙ୍କ ସମେତ ୨୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ବନ୍ତ ବ୍ଲକ ଆଗରପଡ଼ାରୁ ଭଦ୍ରକ ଆସୁଥିବା ଏକ ଆମ୍ବୁଲାନ୍ସକୁ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କର ଉଦ୍ୟମରେ ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ କିଛି ଲୋକଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।