ଓଡ଼ିଶା ୩୬୫(ବ୍ୟୁରୋ): ବଲିଉଡର ସିଙ୍ଗର ମାନଙ୍କ କଥା କହିଲେ ପ୍ରଥମେ ସୁନିଧି ଚୌହାନ, ନେହା କକ୍କର ଓ ଶ୍ରେୟା ଘୋଷାଲଙ୍କ ନାଁ ସାମ୍ନାକୁ ଆସେ । ଏହି କଣ୍ଠଶିଳୀଙ୍କୁ ଭାରତର ସବୁଠାରୁ ଲୋକପ୍ରିୟ ତଥା ପ୍ରତିଭାବାନ ମହିଳା କଣ୍ଠଶିଳ୍ପୀ ଭାବେ ଗଣନା କରାଯାଏ। ସେମାନଙ୍କର ଏପରି ଗୌରବର ପ୍ରମାଣ ହେଉଛି ସେମାନଙ୍କର ପ୍ରଶଂସକ ଓ ଧନ ସମ୍ପତ୍ତି। ହେଲେ ଯେତେବେଳେ ସବୁଠୁ ଧନୀ ମହିଳା ଗାୟିକାଙ୍କ କଥା ଉଠେ, ସେତେବେଳେ ଆଉ ଜଣେ ଗାୟିକାଙ୍କ ନାମ ସାମନାକୁ ଆସିଥାଏ। ସେ ହେଉଛନ୍ତି ତୁଳସୀ କୁମାର ।
‘ବିଲ୍ଲୁ’ ଫିଲ୍ମର ‘ଲଭ ମେରା ହିଟ୍’ ଓ ‘ୱାନ୍ସ ଅପନ୍ ଏ ଟାଇମ୍’ ଫିଲ୍ମର ‘ତୁମ୍ ଯୋ ଆୟେ’ ପରି ଗୀତରେ କଣ୍ଠ ଦାନ କରିଥିବା ତୁଳସୀ କୁମାର। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ସମ୍ପତ୍ତିର ପରିମାଣ ପାଖାପାଖି ୨୦୦ କୋଟି ଟଙ୍କା ହେବ। ଅପରପକ୍ଷେ, ଶ୍ରେୟା ଘୋଷାଲଙ୍କ ପାଖରେ ୧୮୦ରୁ ୧୮୫ କୋଟି ଟଙ୍କା, ସୁନିଧି ଚୌହାନଙ୍କର ୧୦୦ କୋଟି ଟଙ୍କା ଓ ନେହା କକ୍କରଙ୍କର ୪୦ କୋଟି ଟଙ୍କାର ସମ୍ପତ୍ତି ଥିବା ସୂଚନା ମିଳିଛି ।
ଖବର ମୁତାବକ, ତୁଳସୀ ହେଉଛନ୍ତି ବଲିଉଡ୍ର ଜଣେ ଜଣାଶୁଣା ପ୍ରଯୋଜକ ଭୂଷଣ କୁମାରଙ୍କ ଭଉଣୀ। ତାଙ୍କ ବାପା ଟି-ସିରିଜର ମାଲିକ ଗୁଲସନ କୁମାର । ତୁଳସୀ ୧୯୮୬ ମାର୍ଚ୍ଚ ୧୫ରେ ଜନ୍ମ ଗ୍ରହଣ କରିଥିଲେ । ଏବଂ ସେ ବ୍ୟବସାୟୀ ହିତେଶ ରାଲହାନ୍ଙ୍କୁ ବିବାହ କରିଛନ୍ତି। ୨୦୦୯ରେ ଆଲବମ୍ ‘ଲଭ୍ ହୋ ଯାଏ’ ଜରିଆରେ ସେ ସଂଗୀତ ଜଗତରେ ପାଦ ଥାପିଥିଲେ। ତୁଳସୀ ‘ଶୋଚ ନା ସକେ’, ‘ସନମ୍ ରେ’, ‘ନାଚାଙ୍ଗେ ସାରି ରାତ୍’ ଏବଂ ‘ଇସ୍କେ ଦି ଲଟ’ ଭଳି ଗୀତ ଗାଇ ପ୍ରଶଂସକମାନଙ୍କର ମନ ଜିଣିପାରିଛନ୍ତି। ୨୦୧୯ରେ ପଞ୍ଜାବୀ କଣ୍ଠଶିଳ୍ପୀ ଗୁରୁ ରନ୍ଧାୱାଙ୍କ ସହ ମିଶି ‘ଏନି ସୋନି’ ଶୀର୍ଷକ ଗୀତରେ କଣ୍ଠଦାନ କରି ସେ ଚହଳ ପକାଇଥିଲେ। ସେବେଠାରୁ ଆଜି ପର୍ୟ୍ୟନ୍ତ ସେ ତାଙ୍କ କଣ୍ଠର ଯାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି ।