ଓଡ଼ିଶା 365 (ବ୍ୟୁରୋ): ପୁଣି ଚର୍ଚ୍ଚାରେ ମହାରାଷ୍ଟ୍ର ରାଜନୀତି । ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ନେଇ ଚର୍ଚ୍ଚା ପୁଣି ଥରେ ବଢିଛି । ଏହାପଛରେ ଏକ ବଡ଼ କାରଣ ମଧ୍ୟ ରହିଛି । ତାହା ହେଉଛି, ଶରଦ ପାୱାର ଆସନ୍ତା ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏନସିପି ମୁଖ୍ୟ ଏହା କହିଛନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି। ଡିଣ୍ଡୋରୀ ଲୋକ ସଭା ଆସନ ସମ୍ପର୍କରେ ସମୀକ୍ଷା ବୈଠକରେ ଶରଦ ପାୱାର ଦଳର କର୍ମୀ ଏବଂ ନେତାଙ୍କ ସାମ୍ନାରେ ନିଜର ମତ ଉପସ୍ଥାପନ କରିଛନ୍ତି।
ବୁଧବାର ଲୋକ ସଭା ଆସନ ସମ୍ପର୍କରେ ସମୀକ୍ଷା ବୈଠକରେ ନେତା ଓ କର୍ମୀମାନେ ମହାରାଷ୍ଟ୍ରର ମାଦା ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଶରଦ ପାୱାରଙ୍କୁ ଅନୁରୋଧ କରିଥିଲେ। ଦଳରେ ବିଦ୍ରୋହ ପରେ ପାୱାର ଦଳକୁ ମଜବୁତ କରିବା ପାଇଁ ରାଜ୍ୟ ସହିତ ଦେଶ ଭ୍ରମଣ କରିବେ। ଶରଦ ପାୱାର ବର୍ତ୍ତମାନ ସଂସଦର ଉପର ଗୃହ ରାଜ୍ୟ ସଭାର ସଦସ୍ୟ ଅଟନ୍ତି।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁଲାଇରେ ଶରଦ ପାୱାରଙ୍କ ପାର୍ଟିରେ ବିଭାଜନ ହୋଇଥିଲା। ଭଣଜା ଅଜିତ ପାୱାର ଦଳରେ ବିଦ୍ରୋହ କରିଥିଲେ। ଏହି ଘଟଣା ମହାରାଷ୍ଟ୍ରର ରାଜନୀତିକୁ ସମ୍ପୂର୍ଣ୍ଣ ଥରାଇ ଦେଇଛି। ଦଳକୁ ବଞ୍ଚାଇବା ପାଇଁ ଶରଦ ପାୱାର ମଧ୍ୟ ଏକ ବଡ଼ ଆହ୍ବାନର ସମ୍ମୁଖୀନ ହୋଇଥିଲେ। ବିଦ୍ରୋହ ପରେ ଅଜିତ ପାୱାର ଦଳ ତଥା ନିର୍ବାଚନ ପ୍ରତୀକ ଦାବି କରୁଥିବାବେଳେ ଏହି ମାମଲା ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିଥିଲା। ଏହି ଖବର ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି ।