ଓଡ଼ିଶା 365 (ବ୍ୟୁରୋ): ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମିଳିଛି ନୂଆ ଦାୟିତ୍ୱ। ସେ ୪ଥର ବିଧାନସଭାକୁ ନିର୍ବାଚିତ ମଧ୍ୟ ହୋଇଛନ୍ତି । ଓଡ଼ିଶାର ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ କାର୍ୟ୍ୟକାଳ ଶେଷ ପରେ ତାଙ୍କ ସ୍ଥାନ ନେଇଛନ୍ତି ରଘୁବର । ମହାପ୍ରଭୁ ଜଗନ୍ନାଥଙ୍କ ଭୂମି ଓଡିଶାର ରାଜ୍ୟପାଳ କରାଯାଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ରଘୁବର।
ପ୍ରଫେସର ଗଣେଶୀ ଲାଲ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ହୋଇଥିଲେ। ତାଙ୍କ କାର୍ୟ୍ୟକାଳ ୨୦୨୩ରେ ଶେଷ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପଦରେ ରଘୁବର ଦାସଙ୍କୁ ନିଯୁକ୍ତ କରିଛନ୍ତି। ଓଡିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ରଘୁବର ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ଓଡିଶାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିବାରୁ ରଘୁବର ଦାସଙ୍କୁ ମୋର ଶୁଭେଚ୍ଛା । ରାଜ୍ୟର ବିକାଶ ତଥା ଲୋକଙ୍କ କଲ୍ୟାଣ ଦିଗରେ ତାଙ୍କ ସହ କାର୍ୟ୍ୟ କରିବାକୁ ମୁଁ ଉତ୍ସାହିତ ଅଛି। ତାଙ୍କର କାର୍ୟ୍ୟକାଳ ସଫଳ ହେଉ କାମନା କରିଛନ୍ତି ।
୧୯୫୫ ମସିହା ମେ ୩ରେ ଜନ୍ମ ଗ୍ରହଣ କରିଥିଲେ ରଘୁବର । ୬୯ ବର୍ଷୀୟ ଶ୍ରୀ ଦାସ ୨୦୧୪ ଡିସେମ୍ବର ୨୮ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେ ୨୦୧୯ ଯାଏ ଏହି ପଦରେ ରହିଥିଲେ। ବିଜେପିର ଜାତୀୟ ଉପସଭାପତି ଭାବେ କାର୍ୟ୍ୟ କରିଛନ୍ତି । ଏହାସହ ସେ ବିଜେପିର ରାଜ୍ୟ ସଭାପତି ଭାବେ ମଧ୍ୟ ଦୁଇ ଥର କାର୍ୟ୍ୟ ତୁଲାଇଛନ୍ତି। ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲଙ୍କ ଯୁଗ ସଫଳତାର ସହ ଶେଷ ହେବା ସହ ରଘୁବର ଦାସ ଖୁବ୍ ଶୀଘ୍ର ଦାୟିତ୍ୱ ଗ୍ରହଣ କରିବେ।