ଓଡ଼ିଶା 365 (ବ୍ୟୁରୋ) : ତିନି ଶିଶୁଙ୍କ ଅପହରଣ ଓ ହତ୍ୟା ମାମଲାରେ ୩ଜଣ ଦୋଷୀଙ୍କୁ ଫାଶୀ ଶୁଣାଇଛନ୍ତି ସେସନ କୋର୍ଟ ।ଏଭଳି ଏକ ନିଷ୍ପତ୍ତି ଆସିଛି ଉତ୍ତର ପ୍ରଦେଶ ବୁଲନ୍ଦଶହରରୁ । ୨୦୧୯ ମସିହାରେ ହୋଇଥିବା ୩ ଶିଶୁଙ୍କୁ ଅପହରଣ କରି ହତ୍ୟାକାଣ୍ଡ ମାମଲାରେ ଆଜି ୩ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ବୁଲନ୍ଦଶହର ସେସନ କୋର୍ଟ ବିଚାରପତି ମନୁ କାଲିଆ ବୁଧବାର ଏହି ମାମଲାର ଶୁଣାଣି କରି 3 ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ତିନି ଦୋଷୀ ହେଉଛନ୍ତି ସଲମାନ, ବିଲାଲ ଓ ଇମ୍ରାନ । ଏହି ମାମଲାରେ ପୂର୍ବରୁ ଜଣେ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇସାରିଛି ।
୨୦୧୯ ମହିସା ମେ’ ୨୫ ତାରିଖରେ ଏହି ଗଣ ଅପହରଣ ଓ ହତ୍ୟାକାଣ୍ଡ ଘଟିଥିଲା । କୋତବାଲୀ ଥାନା କ୍ଷେତ୍ର ଅଧୀନ ଏକ ଗ୍ରାମରୁ ୩ ଶିଶୁଙ୍କୁ ଏହି ଅପରାଧୀମାନେ ଅପହରଣ କରିନେଇଥିଲେ । ପରଦିନ ସମସ୍ତଙ୍କ ମୃତଦେହ ଶିକାରପୁର ଅଞ୍ଚଳରୁ ଉଦ୍ଧାର ହୋଇଥିଲା । ଗୁଳି କରି ଏହି ନିଷ୍ପାପ ଶିଶୁଙ୍କୁ ହତ୍ୟା କରାଯାଇଥିବା ଜଣାପଡିଥିଲା । ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତକୁ କୋର୍ଟ ନିର୍ଦ୍ଦୋଷରେ ପୂର୍ବରୁ ଖଲାସ କରିସାରିଛନ୍ତି । ଖଲାସ ହୋଇସାରିଥିବା ଅଭିଯୁକ୍ତ ହିଁ ପୋଲିସ ଚାର୍ଜସିଟରେ ଅପହରଣର ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ସ୍ଥାନ ପାଇଥିଲା । ତାର ନିର୍ଦ୍ଦେଶ ଅନୁସାରେ ଏହି ୩ ଦୋଷୀ ଏହି ଅପହରଣ ଓ ହତ୍ୟାକୁ ରୂପ ଦେଇଥିଲେ । ତେବେ ପ୍ରମାଣ ଅଭାବରୁ
ଜଣେ ଅଭିଯୁକ୍ତ ଖଲାସ ହୋଇସାରିଥିବା ବେଳେ ଆଜି ଅନ୍ୟ ୩ଅଭିଯୁକ୍ତଙ୍କୁ ଶେସନ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଆଜି ଶୁଣାଣିରେ କୋର୍ଟ ଏହି ଅପରାଧକୁ ଅତି ଜଘନ୍ୟ କାଣ୍ଡ ଭାବେ ବିବେଚନା କରିଥିଲେ । ନିଷ୍ପାପ ଶିଶୁଙ୍କୁ ଅପହରଣ କରି ହତ୍ୟା କରିବା ଜଘନ୍ୟ ଅପରାଧ ଓ ଦୃଷ୍ଠାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିବା କହିଥିଲେ । ଉଭୟ ପକ୍ଷର ଯକ୍ତି ଶୁଣିବା ସହ ପୋଲିସ ଦାଖଲ କରିଥିବା ସମସ୍ତ ତଥ୍ୟ ପ୍ରମାଣ ଓ ସାକ୍ଷକୁ ଭିତ୍ତି କରି ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟଙ୍କ ରାୟକୁ ନେଇ ଖୁସି ବ୍ୟକ୍ତ କରିବା ସହ ଏହାକୁ ସ୍ବାଗତ କରିଛନ୍ତି ହତ୍ୟାର ଶିକାର ହୋଇଥିବା ଶିଶୁଙ୍କ ପରିବାର ।