ଓଡ଼ିଶା 365 (ବ୍ୟୁରୋ): ମା’ ଆସୁଛନ୍ତି। ଶରତର ଶାରଦୀୟ ପୂଜାରେ ଚଳଚଞ୍ଚଳ ଧରାପୃଷ୍ଠ । ଜଗତ ଜନନୀ ମା ଦୂର୍ଗାଙ୍କ ଆଗମନରେ ଉତ୍ସବ ମୁଖର ରାଜଧାନୀ ଠୁ ପୁରପଲ୍ଲୀ। କାରିଗରର ଶେଷ ସ୍ପର୍ଶରେ ମୃଣାଳ ମୂର୍ତ୍ତିମାନ। ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ପୂଜାମଣ୍ଡପ ଅପେକ୍ଷାରେ ରହିଛନ୍ତି ଭକ୍ତ। ସୂକ୍ଷ୍ମ କାରିଗରୀ ସାଙ୍ଗକୁ ପୂଜା ମଣ୍ଡପ ମାନଙ୍କରେ ଜନସଚେତନତା ଲାଗି ବିଭିନ୍ନ ମୂର୍ତ୍ତିମାନ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭିଡ଼ଠାରୁ ଟିକେ ଅଲଗା ହୋଇ ସମ୍ପୂର୍ଣ୍ଣ ନୂତନ ଢଙ୍ଗରେ ପ୍ରସ୍ତୁତ କରାଯାଇଛି ସହିଦ ନଗର ପୂଜା ମଣ୍ଡପ । ଏହାର ଆକର୍ଷଣୀୟ କାରୁକାର୍ଯ୍ୟ ଲୋକଙ୍କୁ ଆକୃଷ୍ଟ କରିବ । ସେହିପରି ଥାଇଲାଣ୍ଡର ବୁଦ୍ଧ ମନ୍ଦିର ଶୈଳୀରେ ପ୍ରସ୍ତୁତ ହୋଇଛି ରସୁଲଗଡ଼ ପୂଜା ମଣ୍ଡପ ତୋରଣ । ଦେଖଣାହାରୀଙ୍କ ଆଖି ଲାଗିଲା ପରି କାରୁକାର୍ଯ୍ୟ କରାଯାଇଛି ଏହି ତୋରଣରେ । ରାଜବାଡି ପରି ଭିତରର ସୂକ୍ଷ୍ମ କାରିଗର , ସାଙ୍ଗକୁ ବାହାର ତୋରଣ ଖୁବ୍ ଆକର୍ଷଣୀୟ ହୋଇଛି ।
ସେହିଭଳି ବମିଖାଲରେ ଦେଖିବାକୁ ମିଳିବ ହସ୍ତିନାପୁରର ଝଲକ । ହସ୍ତିନାପୁର ରାଜମହଲର ସଦୃଶ ତୋରଣ ପ୍ରସ୍ତୁତ କରିଛନ୍ତି ଏହି ପୂଜା କମିଟି । ବାହାର ତୋରଣ ଭିତରର ପଥର କାରିଗରୀ ମଧ୍ୟ ଆଖି ଲଖିଲା ପରି ହୋଇଛି। କଟକର ଚାନ୍ଦିମେଣ୍ଡ ଚମକ ଅପେକ୍ଷାରେ ରହିଛନ୍ତି ଦର୍ଶକ। ନିଆରା ପରମ୍ପରା ସହିତ ଚଳିତ ବର୍ଷ ମଧ୍ୟ ଧୁମଧାମରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ଲାଗି ବିଭିନ୍ନ ପୂଜାକମିଟିର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ସେପଟେ ଶକ୍ତି ରୂପେଣ ମା’ ଦୂର୍ଗାଙ୍କ ଚାଲିଛି ନବରାତ୍ରି ପୂଜା । ମା’ ଆସିବାକୁ ଅପେକ୍ଷା। ଅଧର୍ମ ଉପରେ ଧର୍ମର ଜୟ। ଅସତ୍ୟ ଉପରେ ସତ୍ୟର ବିଜୟ ଲାଗି ଧରାପୃଷ୍ଠକୁ ଓହ୍ଲାଇ ଆସୁଛନ୍ତି ମା’।