ଓଡ଼ିଶା 365 (ବ୍ୟୁରୋ): ଗତ କିଛି ଦିନ ହେବ ସିକ୍କିମ ବନ୍ୟା ରାଜ୍ୟକୁ ବିଧ୍ୱଂସରେ ପରିଣତ କରିଦେଇଛି । ବନ୍ୟା ଅନେକ ଲୋକଙ୍କ ଜୀବନ ନେଇଛି । ଅନେକ ଘର ଧ୍ୱଂସ ହୋଇଯାଇଛି। ବନ୍ୟାର ପାଖାପାଖି ଦୁଇ ସପ୍ତାହ ପରେ ମଧ୍ୟ ମୃତଦେହ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ମଙ୍ଗଳବାର ଆଉ ଦୁଇଟି ମୃତଦେହ ଜବତ କରାଯାଇଥିବା ବେଳେ ବନ୍ୟାରେ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି। ଏହି ବନ୍ୟାରେ ଏବେ ବି ୭୬ ଜଣ ଲୋକ ନିଖୋଜ ଅଛନ୍ତି, ଯେଉଁମାନଙ୍କୁ ଖୋଜାଖୋଜି କରାଯାଉଛି।
ସିକ୍କିମ୍ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ ମୁତାବକ, ଅଧିକାଂଶ ମୃତଦେହ ପାକୟୋଙ୍ଗ୍ ଜିଲ୍ଲାରେ ଜବତ କରାଯାଇଛି। ଏହି ଜିଲ୍ଲାରୁ ଏ ପର୍ୟ୍ୟନ୍ତ ୨୬ଟି ମୃତଦେହ ମିଳିଛି। ସେମାନଙ୍କ ମଧ୍ୟରେ ୧୫ ଜଣ ସାଧାରଣ ନାଗରିକ ହୋଇଥିବା ବେଳେ ୧୧ ଜଣ ହେଉଛନ୍ତି ସେନାର ଯବାନ। ସେପଟେ ୪ ମୃତଦେହ ମଙ୍ଗନ, ୮ ଗାଙ୍ଗ୍ଟକ୍ ଏବଂ ଦୁଇଟି ନାମଚିରୁ ଉଦ୍ଧାର ହୋଇଛି। ଅକ୍ଟୋବର ୪ରେ ବାଦଲ ଫଟା ବର୍ଷା ପରେ ତିସ୍ତା ନଦୀରେ ହଠାତ୍ ବନ୍ୟା ପାଣି ମାଡ଼ି ଆସିଥିଲା, ଯାହାଫଳରେ ସିକ୍କିମରେ ବଡ଼ ଧରଣର ବିପର୍ୟ୍ୟୟ ସୃଷ୍ଟି ହୋଇଥିଲା। ଏହି ବିପର୍ୟ୍ୟୟରେ ପାଖାପାଖି ୮୮,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି।