ଓଡ଼ିଶା 365 (ବ୍ୟୁରୋ): ଗତ କିଛି ମାସ ହେବ ବେଶ୍ ସକ୍ରିୟ ରହିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ଜାଗାରେ ଚଢାଉ ଜାରି ରଖିଛି । ଏହାରି ଭିତରେ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ବ୍ଲକ ଶିକ୍ଷା ଅଧିକାରୀ । ଅନୁଗୁଳ ଜିଲ୍ଲା ପାଲଲହଡା ବିଇଓ କାର୍ୟ୍ୟଳୟର ଯନ୍ତ୍ରୀ ପ୍ରସନ୍ନ ପାଣିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ଚଢାଉ କରୁଛନ୍ତି । ପ୍ରସନ୍ନ ପାଣିଙ୍କ ଅନୁଗୁଳ ସ୍ଥିତ ବାସଭବନ, ଭୁବନେଶ୍ୱର ଓ ଖୋର୍ଦ୍ଧା ସମେତ ମୋଟ ୯ଟି ସ୍ଥାନରେ ଚଢାଉ ଚାଲିଛି । ୬ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ରେଡ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରସନ୍ନ ପାଣିଙ୍କ ବାସଭବନରୁ କୋଟିଏରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିଠାବ ହୋଇଥିବା ସୂଚନା ମିଳିଛି ।
ବ୍ଲକ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟରେ ଯନ୍ତ୍ରୀ ଥିବା ପ୍ରସନ୍ନଙ୍କ ୬ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି । ମୂଲ୍ୟବାନ ଅଳଙ୍କାର ସହ ଜରୁରୀ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ତ୍ରିଲୋଚନ ବିହାରରେ ଦୁଇଟି ତିନି ମହଲା କୋଠା, ସୁନ୍ଦରପଦା ଫ୍ରେଣ୍ଡସ କ୍ଲବ ନିକଟରେ ଗୋଟିଏ ୩ ମହଲା କୋଠା ଠାବ କରିଛି ଭିଜିଲାନ୍ସ । ଏହାଛଡା ହାଇଟେକ ପ୍ଲାଜାରେ ଗୋଟିଏ ଫ୍ଲାଟ, ପୁରୀ ଜିଲ୍ଲା ନିମାପଡା ନିକଟ ଅମଲାପଡାରେ ଗୋଟିଏ ୩ ମହଲା କୋଠା ଠାବ ହୋଇଛି । ଭିଜିଲାନ୍ସ ଟିମ୍ ଏବେ ବି ଚଢାଉ ଜାରି ରଖିଛି ।