ଓଡ଼ିଶା 365 (ବ୍ୟୁରୋ): ଶ୍ରୀମନ୍ଦିରେ ଦିନକୁ ଦିନ ଅବ୍ୟବସ୍ଥା ବଢିବାରେ ଲାଗିଛି । ଯାହାକୁ ନେଇ ଶାସକ ଓ ବିରୋଧୀ ଦଳ ବେଶ୍ ମୁହାଁମୁହିଁ ହୋଇଛନ୍ତି । ଏହାରି ଭିତରେ ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ତତ୍ପରତା ଦେଖାଇଛି ବିଜେପି । ରତ୍ନଭଣ୍ଡାର ଖୋଲିବା ଦାବିରେ ଅଳ୍ପ ସମୟ ପରେ ଗଜପତି ମହାରାଜଙ୍କୁ ଭେଟିବେ ବିଜେପିର ଏକ ପ୍ରତିନିଧି ଦଳ । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ଟିମ ଗଜପତି ମହାରାଜାଙ୍କୁ ଭେଟିବେ । ଅଗଷ୍ଟ ୪ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଏଯାଏ କାହିଁକି କମିଟି ଗଠନ ହୋଇନି ।
କେବଳ ଏମିତି ନୁହେଁ, ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା କାହିଁକି ଆରମ୍ଭ କରାଯାଇ ନାହିଁ । ଏହି ପ୍ରସଙ୍ଗକୁ ନେଇ ଗଜପତି ମହାରାଜଙ୍କୁ ଭେଟି ଦଳ ଦାବି କରିବ । ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଓ ଜିବି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ ବୋଲି ବିଜେପି ଦାବି କରିଛି । ଶୀଘ୍ର ରତ୍ନଭଣ୍ଡାର ଖୋଲିଲେ ଲୋକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର ହେବ ବୋଲି ବିଜେପି କହିଛି । ଦୀର୍ଘ ୪୫ ବର୍ଷ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇନି । ଯାହାକୁ ନେଇ ବିଜେପି ଅନେକ ପ୍ରଶ୍ନ ଉଠାଇଛି ।