ଓଡ଼ିଶା 365 (ବ୍ୟୁରୋ): ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦିପାବଳୀ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି ମୋଦୀ ସରକାର। ସରକାର ମଙ୍ଗଳବାର ଦିନ ଦିପାବଳୀ ବୋନସ ଘୋଷଣା କରିଛନ୍ତି। ଏହା ଅଧୀନରେ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ବର୍ଗର କର୍ମଚାରୀମାନେ ୩୦ ଦିନର ବେତନ ସହିତ ସମାନ ଟଙ୍କା ପାଇବେ ।
ଦିପାବଳୀ ଅବସରରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଆଡ୍-ହକ୍ ବୋନସ୍ ଦେବାକୁ ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି । ଅଣ-ଗେଜେଟେଡ୍ କର୍ମଚାରୀ କେନ୍ଦ୍ର ସରକାରଙ୍କ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ଅଧୀନରେ ଥିବା, ଯେଉଁମାନେ କୌଣସି ବୋନସ୍ ସ୍କିମ୍ ଅଧୀନରେ ନାହାଁନ୍ତି, ସେମାନଙ୍କୁ ମଧ୍ୟ ଏହି ବୋନସ୍ ମିଳିବ । ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୦୨୨-୨୩ ପାଇଁ କେନ୍ଦ୍ର ସରକାରଙ୍କ ଅଣ-ଗେଜେଟେଡ୍ କର୍ମଚାରୀଙ୍କ ପାଇଁ ୭୦୦୦ ଟଙ୍କା ବୋନସ୍ ଘୋଷଣା କରାଯାଇଛି । ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ବିବୃତି ଅନୁଯାୟୀ ଏହି ବୋନସ ସେହି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯିବ ଯେଉଁମାନେ ମାର୍ଚ୍ଚ ୩୧, ୨୦୨୩ ପର୍ୟ୍ୟନ୍ତ ସେବା କରିଆସୁଛନ୍ତି ଏବଂ ୨୦୨୨-୨୩ ବର୍ଷ ମଧ୍ୟରେ ଅତି କମରେ ୬ ମାସ କାମ କରିଛନ୍ତି । ବୋନସ୍ ଘୋଷଣା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।