ଓଡ଼ିଶା 365 (ବ୍ୟୁରୋ) : ବିଶ୍ୱକପରେ ବିପର୍ଯ୍ୟୟ ସହ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ଇତିହାସ ରଚିଛି ନେଦରଲ୍ୟାଣ୍ଡ, କାରଣ ଆଜି ଯାଏ ନେଦରଲ୍ୟାଣ୍ଡ କେବେ ବି ଦକ୍ଷିଣ ଆଫ୍ରିକାକୁ ଦିନିକିଆରେ ହରାଇ ନଥିଲା। ଏହାପୂର୍ବରୁ ଦୁଇ ଦଳ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁ ଥର ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା । ରୋଲଫ ଭାନ ଡେର ମେରୱେ ନେଦରଲ୍ୟାଣ୍ଡ ବିଜୟର ହିରୋ ସାଜିଥିଲେ,୨୯ ରନ ସହ ୨ଟି ୱିକେଟ୍ ନେଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକାକ ୩୮ ରନରେ ପରାସ୍ତ ହୋଇଥିଲା ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନେଦରଲ୍ୟାଣ୍ଡ ଅଧିନାୟକ ସ୍କଟ ଏଡୱାର୍ଡସଙ୍କ ଅପରାଜିତ ୭୮ ରନ ବଳରେ ନିର୍ଦ୍ଧାରିତ ୪୩ ଓଭର୍ରେ ୮ ୱିକେଟ ହରାଇ ୨୪୫ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୪୨.୫ ଓଭରରେ ସମସ୍ତ ୱିକେଟ ହରାଇ ୨୦୭ ରନ କରିବାକୁ ସକ୍ଷମ ହୋଇଥିଲା। ଧର୍ମଶାଳାରେ ଖେଳାଯାଇଥିବା ବିଶ୍ଵକପର ଏକ ମୁକାବିଲାରେ ଅନଭିଜ୍ଞ ନେଦରଲାଣ୍ଡ ଦଳ ଦକ୍ଷିଣ ଆଫ୍ରିକା ପରି ଶକ୍ତିଶାଳୀଦଳକୁ ହରାଇ କ୍ରିକେଟ୍ ଜଗତକୁ ବିସ୍ମିତ କରିବା ସହ ଇତିହାସ ରଚିଛି।