ଓଡ଼ିଶା 365 (ବ୍ୟୁରୋ) : ମନ୍ତ୍ରଧ୍ୱନୀରେ ଚଳଚଞ୍ଚଳ ଶକ୍ତିପୀଠ ମାନ। ନବରାତ୍ରରରେ ନଅଟି ରୂପରେ ପୂଜା ପାଇଥାନ୍ତି ଜଗତଜନିନୀ ମାଆ ଦୁର୍ଗା । ଆଜି ନବରାତ୍ରର ଚତୁର୍ଥ ଦିନ କୁଷ୍ମାଣ୍ଡା ସ୍ୱରୂପଙ୍କୁ ପୂଜା କରାଯାଏ । ଏହି ଦିନ ମା’ ଶ୍ରୀଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ଦେବି କୁଷ୍ମାଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଉଦରରୁ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିବା କାରଣରୁ ଦେବିଙ୍କୁ କୁଷ୍ମାଣ୍ଡା ରୂପରେ ପୂଜା କରାଯାଏ। ମା’ କୁଷ୍ମାଣ୍ଡା ତେଜ ଏବଂ ପ୍ରତାପର ସ୍ଵରୂପ। ତାଙ୍କର ତେଜ ପ୍ରତାପରେ ଦଶ ଦିଗକୁ ପ୍ରକାଶ ମିଳେ । କୁହାଯାଏ ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କ ଠାରୁ ଯେଉଁ ତେଜ ବାହାରେ ତାହା ଦେବି କୁଷ୍ମାଣ୍ଡାଙ୍କ ଦାନ। ମା କୁଷ୍ମାଣ୍ଡାଙ୍କୁ ପୂଜା କଲେ ସିଦ୍ଧି ପ୍ରାପ୍ତି ହୋଇଥାଏ ।
ନବରାତ୍ରୀରେ ମାଙ୍କ ପୂଜା ଆରାଧନା କରିବା ଦ୍ୱାରା ରୋଗ ଶୋକ ଦୂର ହେବା ସହିତ ଆୟୁ ଏବଂ ଯଶ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି । ମା କୁଷ୍ମାଣ୍ଡାଙ୍କୁ ଅଷ୍ଟଭୁଜା ଦେବୀ ବୋଲି ମଧ୍ୟ କୁହାଯାଇଥାଏ । ପୌରାଣିକ ମତେ ଦେବୀଙ୍କ ହସରୁ ବ୍ରହ୍ମାଣ୍ଡ ସୃଷ୍ଟି ହୋଇଥିବାରୁ ତାଙ୍କୁ କୁଷ୍ମାଣ୍ଡା କୁହାଯାଏ। ଦେବୀ କୁଷ୍ମାଣ୍ଡା ହିଁ ସୃଷ୍ଟିର ଆଦିଶକ୍ତି ବା ଆଦିସ୍ୱରୂପା ଅଟନ୍ତି । ବ୍ରହ୍ମାଣ୍ଡର ସକଳ ବସ୍ତୁର ତଥା ପ୍ରାଣୀମାନଙ୍କର ତେଜ ହେଉଛି ମାଆ କୁଷ୍ମାଣ୍ଡାଙ୍କ ଛତ୍ରଛାୟାମାତ୍ର । ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି। ଏହି ରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଅଷ୍ଟମ ହସ୍ତରେ ଜପମାଳା ରହିଛି ।
ନବରାତ୍ରୀରେ କୁଷ୍ମାଣ୍ଡାଙ୍କ ଉପାସନା କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ରୋଗ ଶୋକ ନଷ୍ଟ ହେବା ସହ ଆୟୁ ଏବଂ ଯଶ ମଧ୍ୟ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି। ମାଙ୍କ ପ୍ରିୟ ଭୋଗ ମାଲପୁଆ ହୋଇଥିବାବେଳେ ତାଙ୍କୁ ନାଲି ରଙ୍ଗର ବସ୍ତ୍ର, ନାଲି ଫୁଲ, ନାଲି ଚୁଡ଼ି ମଧ୍ୟ ଅର୍ପଣ କରାଯାଇଥାଏ । ପୂଜା ପରେ ମା କୁଷ୍ମାଣ୍ଡାଙ୍କ ମନ୍ତ୍ର ଯା ଦେବୀ ସର୍ବ ଭୂତେଷୁ ମା’ କୁଷ୍ମାଣ୍ଡା ରୂପେଣ ସଂସ୍ଥିତା , ନମଃତସୈ ନମଃତସୈ ନମୋ ନମଃ ଜପ କଲେ ସୁଫଳ ମିଳିଥାଏ। ଅଷ୍ଟ ଭୂଜା ମା’ କୁଷ୍ମାଣ୍ଡାଙ୍କ ସ୍ୱରୂପ ଆମକୁ କର୍ମଯୋଗୀ ଜୀବନ ଓ ଖ୍ୟାତି ଅର୍ଜନ ପାଇଁ ପ୍ରେରଣା ଯୋଗେଇଥାଏ । ମା’ଙ୍କ ମଧୁର ହସ ଆମକୁ କଠିନ ମାର୍ଗରେ ଚାଲି ସଫଳତା ହାସଲ କରିବା ଶିଖାଇଥାଏ ।