ଓଡ଼ିଶା 365 (ବ୍ୟୁରୋ): ଗାଜା ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ। ଗାଜାରେ ଥିବା ଅଲ-ଆହଲି ଆରବୀ ହସ୍ପିଟାଲ ଉପରେ ଇସ୍ରାଏଲ ପକ୍ଷରୁ ବୋମାମାଡ଼ କରାଯାଇଛି। ବୋମାମାଡ଼ ଫଳରେ ପାଖାପାଖି ପାଞ୍ଚଶହ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗାଜା ସହରରେ ଥିୂବା ଏହି ହସ୍ପିଟାଲରେ ଇସ୍ରାଏଲ ବାୟୁସେନା ବୋମାମାଡ଼ କରିଥିବାହମାସ୍ ଦାବି କରିଛି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରବକ୍ତା ଅସରଫ୍ ଅଲ୍ କ୍ବାଦ୍ରା କହିଛନ୍ତି, ବୋମାମାଡ଼ର ମାତ୍ର କିଛି ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୫୦୦ ଛୁଇଁଛି। ଏହି ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବ। ମାତ୍ର ଇସ୍ରାଏଲ ବାୟୁସେନା ପ୍ରବକ୍ତା ଡାନିଏଲ ହାଗାରି ହସ୍ପିଟାଲ ଉପରେ ବୋମାମାଡକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି,ହସ୍ପିଟାଲ ଉପରେ ଆକ୍ରମଣ ଅଭିଯୋଗ ନେଇ ଆମେ ଯାଞ୍ଚ କରୁଛୁ। ଗାଜା ଛାଡ଼ିବା ପାଇଁ ପ୍ରସ୍ତୁତ ଥିବା ପାଖାପାଖି ଦୁଇ ହଜାର ଲୋକ ଏହି ହସ୍ପିଟାଲ ପରିସରରେ ଆଶ୍ରୟ ନେଇଥିଲେ। ଏହି ଘଟଣା ଉପରେ ହମାସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଅନ୍ୟପକ୍ଷରେ ହମାସର ଏହି ଆକ୍ରମଣ ଦାବିର ଅନୁଧ୍ୟାନ ପାଇଁ ଅନ୍ତର୍ଜାତୀୟ ପ୍ରତିନିଧି ଦଳ ଗାଜା ଗସ୍ତ କରିବାକୁ ଦାବି କରିଛନ୍ତି ଲେବାନନ, ସିରିୟା ଓ ଇରାନ୍।