ଓଡ଼ିଶା 365 (ବ୍ୟୁରୋ): ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ମାଧ୍ୟମରେ ନୂଆ ଅଭିଯାନ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହି ଅଭିଯାନରେ ପ୍ରତି ପଞ୍ଚାୟତ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନରେ ଗାଁର ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ। ଏନେଇ ଆଜି ଭୁବନେଶ୍ବରରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଂଜ, ବରଗଡ ଓ ଦେବଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ମୟୂରଭଂଜ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ୧୧୧ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ ମିଳିଛି। ସେହିପରି ବରଗଡର ୫ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୨୬ କୋଟି ୫୦ ଲକ୍ଷ ଟଙ୍କା ମିଳିଥିବାବେଳେ ଦେବଗଡର ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ୩୫ କୋଟି ଟଙ୍କା ମିଳିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିକଶିତ ଗାଁ ଆଧୁନିକ ଓଡିଶାର ପରିଚୟ ହେବ ।
କହିରଖୁ କି, ଆଜି ୩ଟି ଜିଲ୍ଲାର ୨୩ଟି ବିକାଶମୂଳକ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୬୩ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଗାଁ ରେ ଇଣ୍ଟରନେଟ୍ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । ଓ୍ବାର୍କ ହବ୍ ହେବ । ବ୍ୟାଙ୍କି ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଇମେରୀ ସ୍କୁଲ ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମନ୍ତ୍ରୀ ରୀତା ସାହୁ, ସାଂସଦ ମମତା ମହନ୍ତ, ବିଧାୟକ ରାଜକିଶୋର ଦାସ, ବିଧାୟକ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ।