ଓଡ଼ିଶା 365 (ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ଭାଲିଆବାଡ଼ି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୫୭ ନମ୍ବର ଜାତୀୟ ରାଜପଥରେ ସ୍କୁଟିରେ ୫ ବର୍ଷୀୟ ପୁଅକୁ ନେଇ ଯାଉଥିଲା ମା। ପଛପଟୁ ସ୍କୁଟିକୁ ଧକ୍କାଦେଲା ତେଲ ବୋଝେଇ ଟ୍ୟାଙ୍କର। ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ପୁଅକୁ ସ୍କୁଲରୁ ଛୁଟିହେବାପରେ ସ୍କୁଟିରେ ୫୭ ନମ୍ବର ଜାତୀୟ ରାଜପଥରେ ଘରକୁ ଫେରୁଥିଲେ ଗାନ୍ଧୀ ପଡ଼ିଆ ଅଞ୍ଚଳର ବୈଜୟନ୍ତୀ ଦାସ। ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ୟାଙ୍କର ସ୍କୁଟିକୁ ଧକ୍କା ଦେଇଥିଲା। ବୈଜୟନ୍ତୀ କିଛି ଦୂରରେ ଛିଟିକି ପଡ଼ିଥିବା ବେଳେ ପୁଅର ପେଟ ଉପରେ ଟ୍ୟାଙ୍କରଟି ଚଢ଼ିଯାଇଥିଲା। ଘଟଣାସ୍ଥଳରେ ୫ ବର୍ଷୀୟ ପୁଅ ବିନାୟକଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଓ ହେଲପରକୁ କାବୁ କରି ଲୋକେ ପୁଲିସର ଜିମା ଦେଇଥିଲେ। ନାବାଳକର ମୃତଦେହକୁ ଜବତ କରି ଟାଉନ ଥାନା ପୁଲିସ ତଦନ୍ତ ଆରମ୍ଭ କରୁଛି।