ଓଡ଼ିଶା 365 (ବ୍ୟୁରୋ): ପୁରୀ ଜିଲ୍ଲାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ବେଦାନ୍ତ ବେଆଇନ୍ ଜମି ଅଧିଗ୍ରହଣ ମାମଲାରେ ରାଜଧାନୀରେ ମୋ ଦଳର ଜୋରଦାର ବିକ୍ଷୋଭ । ମାଷ୍ଟର କ୍ୟାଣ୍ଟିନରୁ କ୍ୟାପିଟାଲ ଥାନା ପର୍ଯ୍ୟନ୍ତ ରାଲିରେ ଯିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମୋ ଦଳର କାର୍ଯ୍ୟକର୍ତ୍ତା।
କହିରଖୁ କି, ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ୨୦୦୬ ମସିହାରେ ରାଜ୍ୟ ସରକାର ଏମ୍ଓୟୁ ସ୍ୱାକ୍ଷର କରି ପ୍ରଥମେ ୧୩,୦୦୦ ଏକର ଓ ପରେ ୬,୦୦୦ ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଚଳେଇଥିଲେ। ସେଗୁଡ଼ିକ ସଂପୂର୍ଣ୍ଣ ବେଆଇନ୍, ଉଦ୍ଦେଶ୍ୟ ପ୍ରଣୋଦିତ, ଅନୁଗ୍ରହ ଭିତ୍ତିକ ଏବଂ ସେଥିରେ ସରକାର ବାସ୍ତବତା, ଆଇନ୍, ନିୟମ ଓ ସମ୍ବିଧାନ ପ୍ରତି ଧ୍ୟାନ ନଦେଇ କାର୍ଯ୍ୟ କରିଥିବାରୁ ଓଡ଼ିଶା ହାଇକୋର୍ଟ ୨୦୧୦ ମସିହାରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଅବୈଧ ଘୋଷଣା କରିଥିଲେ। ହାଇକୋର୍ଟର ଏହି ଆଦେଶ ବିରୋଧରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ୍ ଯାହାଙ୍କ ସହିତ ବିଶ୍ୱବିଦ୍ୟାଳୟ ପାଇଁ ଏମ୍ଓୟୁ ହୋଇଥିଲା, ସେମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲା ପରେ ୨୦୨୩ ଏପ୍ରିଲ ୧୨ ତାରିଖରେ ସୁପ୍ରିମକୋର୍ଟର ଖଣ୍ଡପୀଠ ହାଇକୋର୍ଟ ରାୟକୁ କାଏମ ରଖିବା ସହିତ ବେଦାନ୍ତ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଇଥିଲେ। ଏହାସହ ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଯେ. ଓଡ଼ିଶା ସରକାର କେବଳ ଗୋଟିଏ କମ୍ପାନୀ ବା ଟ୍ରଷ୍ଟ ସ୍ୱାର୍ଥରେ ବିଚାର କରି ଜନସାଧାରଣଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛନ୍ତି।