ଓଡ଼ିଶା 365 (ବ୍ୟୁରୋ): ଆସନ୍ତା ୨୦ ତାରିଖରୁ କଞ୍ଚା ପରିବା ପାଇବେନି ରାଜଧାନୀବାସୀ । ଭୁବନେଶ୍ୱର କଞ୍ଚାପରିବା ବ୍ୟବସାୟୀ ସଂଘ ପକ୍ଷରୁ ଏନେଇ ବନ୍ଦ ଡାକରା ଦିଆଯିବା ପରେ ରାଜଧାନୀବାସୀଙ୍କ ଚିନ୍ତା ବଢାଇଦେଇଛି। ରାସ୍ତାରେ ଜବରଦଖଲ ଉଚ୍ଛେଦ ଭଳି ୧୧ ଦଫା ଦାବିନେଇ ସଂଘ ପକ୍ଷରୁ ହାଟ ବନ୍ଦ ଡାକରା ଦିଆଯାଇଛି । ୧୯ ତାରିଖ ରାତିରୁ ଆଇଗିଣିଆ ଏବଂ ୨୦ ତାରିଖରୁ ୟୁନିଟ୍ ୧ ହାଟକୁ ଗାଡି ଆସିବା ବନ୍ଦ ହୋଇଯିବ । ଯାହା ଫଳରେ ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରେ କଞ୍ଚା ପରିବା ମିଳିବନାହିଁ ।
ସଂଘ ସଭାପତି କବିରାଜ ସ୍ୱାଇଁ ଅଭିଯୋଗ ମୁତାବକ, ପରିବା ହାଟକୁ ଆସିବା ପାଇଁ ୨ଟି ମୁଖ୍ୟ ବାଟ ରହିଛି । ଏସ୍ବିଆଇ ଏବଂ ବିଦ୍ୟୁତ୍ ଅଫିସ ଗଳିରେ ମଣ୍ଡିକୁ ପରିବା ଟ୍ରକ୍ ଆସେ । ହେଲେ ଏସ୍ବିଆଇ ଗଳିରେ ପୂଜା ପାଇଁ ତୋରଣ ବନ୍ଧା ହୋଇଥିବାରୁ ପରିବା ହାଟକୁ ଗାଡ଼ି ପଶିପାରୁନି । ଫଳରେ ଗାଡ଼ି ମୁଖ୍ୟ ରାସ୍ତାରେ ଠିଆ ହେଉଛି । ଏହାସହ କିଛି ବେଆଇନ ଦୋକାନ ରାସ୍ତାକୁ ମାଡ଼ି ଦୋକାନ ନିର୍ମାଣ କରିଛନ୍ତି । ବେଆଇନ ଭାବେ ଶୀତବସ୍ତ୍ର ଦୋକାନ ଖୋଲୁଛି । ସେହିପରି ବସ୍ତି ବାସିନ୍ଦା ବିରୋଧ କରିବାରୁ ଅନ୍ୟ ଏକ ରାସ୍ତା ପଟେ ପରିବା ଆସିପାରୁନି । ଭଗବାନପୁରରେ ମିଳିଥିବା ୧୦ ଏକର ଜାଗାରୁ ୧.୫ ଏକରରେ ଏମ୍ସିସି ନିର୍ମାଣ ହୋଇଛି । ତେଣୁ ଏମ୍ସିସିକୁ ସେଠୁ ତୁରନ୍ତ ହଟାଯିବାକୁ ନେଇ ୨୫ ତାରିଖରେ ବିଏମ୍ସିରେ ଦାବି କରିଥିଲା ସଂଘ । ହେଲେ ବିଏମ୍ସି କଥା ଶୁଣିଲା ନାହିଁ । ତେଣୁ ଆସନ୍ତା ୨୦ ତାରିଖରୁ ପରିବା ହାଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସଂଘ ।