ଓଡ଼ିଶା 365 (ବ୍ୟୁରୋ) : ମାଆଙ୍କ ଆଗମନ ପାଇଁ ସଜେଇ ହେଲାଣି ଧରାପୃଷ୍ଠ, ଉତ୍ସବ ମୁଖର ସହର ଠୁ ଗାଁ। ପୂଜା ମଣ୍ତପ ଗୁଡିକରେ ଜୋରସୋର ପ୍ରସ୍ତତି ଚାଲୁଥିବା ବେଳେ ବିଭିନ୍ନ ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ମନ୍ତ୍ରଧ୍ୱନୀରେ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ ମାନ। ନବରାତ୍ରରରେ ନଅଟି ରୂପରେ ପୂଜା ପାଇଥାନ୍ତି ମା। ଆଜି ନବରାତ୍ରର ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି ମା। ବିଭିନ୍ନ ଶକ୍ତିପୀଠରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି । ଦେବୀ ଦୁର୍ଗାଙ୍କର ତୃତୀୟ ରୂପକୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ। ମା’ ଚନ୍ଦ୍ରଘଣ୍ଟାଙ୍କ ଘଣ୍ଟ ଧ୍ଵନିରେ ଅତ୍ୟାଚାରୀ, ଦାନବ, ଦୈତ୍ୟ ସବୁ ଭୟଭୀତ ହୁଅନ୍ତି। ମସ୍ତକରେ ମା’ ଅର୍ଦ୍ଧଚନ୍ଦ୍ର ଧାରଣ କରନ୍ତି ଏବଂ ସିଂହ ବାହାନରେ ବିରାଜମାନ କରନ୍ତି ମା । ଏହି ସ୍ୱରୂପରେ ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ ।
ତାଙ୍କର ଦଶଭୁଜା ଏବଂ ତିନୋଟି ଆଖି ରହିଥାଏ । ଆଠଟି ହସ୍ତରେ ମା’ ଖଡଗ ତଥା ଅସ୍ତ୍ରଶସ୍ତ୍ର ଧାରଣ କରିଥାନ୍ତି । ଆଉ ଅନ୍ୟ ଦୁଇଟି ହସ୍ତରେ ଭକ୍ତଙ୍କୁ ଆର୍ଶିବାଦ କରିଥାନ୍ତି ଜଗତର କଲ୍ୟାଣ ପାଇଁ ।ମାଆ ଚନ୍ଦ୍ରଘଣ୍ଟାଙ୍କୁ ବଡି ଭୋର ୪.୩୬ ରୁ ୫.୨୪ ପର୍ଯ୍ୟନ୍ତ ବ୍ରହ୍ମ ମୁହୁର୍ତ୍ତ ରେ ପୂଜା କରାଯାଏ । ବ୍ରତଧାରୀମାନେ ମାଆଙ୍କୁ ସୁନେଲୀ ରଙ୍ଗର ବସ୍ତ୍ର ଅବା ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିକି ଏହି ସମୟରେ ମାଆଙ୍କ ଆରାଧାନା କଲେ ଭକ୍ତ ମାଙ୍କ କୃପାଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ସେହିପରି ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଧଳାପଦ୍ମ ଫୁଲ ଓ ହଳଦିଆ ରଙ୍ଗର ଗୋଲାପ ଫୁଲ ଚଢାନ୍ତି ଭକ୍ତ। ନବରାତ୍ର ପୂଜାରେ ଭକ୍ତ ସାମିଲ ହେଲେ ମା ଆଶିଷରେ ପରିବାରରେ ସୁଖ ସମୃଦ୍ଧି ଭରି ରହିଥାଏ ବୋଲି ବିଶ୍ୱାସ ରହିଛି।