ଓଡ଼ିଶା 365 (ବ୍ୟୁରୋ) : ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଚାଲିଛି । ମୁଣ୍ଡଗଡୁଛି ଛାତି ଥରୁଛି । ଇସ୍ରାଏଲ ଓ ହମାସର ଯୁଦ୍ଧର ଭୟାଭୟତା ଦେଖୁଛି ସାରା ବିଶ୍ୱ। ମୃତ୍ୟୁ ସଂଖ୍ୟା ୫ହଜାର ଟପିଥିବାବେଳେ ଆମେରିକା ଇସ୍ରାଏଲକୁ ପଠାଉଛି ଆଧୁନିକ ଅସ୍ତ୍ରଶସ୍ତ୍ର । ହମାସ ଆତଙ୍କବାଦୀମାନେ ଲଢ଼ିବା ପାଇଁ ଚେତାବନୀ ଦେଇଥିବା ବେଳେ ଗାଜାରେ ସାଧାରଣ ଲୋକଙ୍କ ମଧ୍ୟରେ ଛପି ରହି ଆକ୍ରମଣ କରୁଛନ୍ତି । ଇସ୍ରାଏଲ ସେନା ଗାଜା ଭିତରେ ଜୋରଦାର ଆକ୍ରମଣ କରିଚାଲିଥିବା ବେଳେ ଗାଜାକୁ ଅକ୍ତିଆର କରିବା ପାଇଁ ଇସ୍ରାଏଲ ଯୋଜନା କରୁଥିବା ମୁସଲିମ ରାଷ୍ଟ୍ର ଅଭିଯୋଗ କରୁଛନ୍ତି । ତେବେ ଏହି ଅଭିଯୋଗକୁ ଆମେରିକା ରାଷ୍ଟ୍ରପତି ନାପସନ୍ଦ କରିଛନ୍ତି । ହମାସ ଇସ୍ରାଏଲର ଶତ୍ରୁ ଗାଜା ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଜୋ ବାଇଡେନ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କଥାରେ ସମ୍ମତି ପ୍ରଦାନ କରି ମୁସଲିମ ରାଷ୍ଟ୍ର ଏବଂ ମିଳିତ ଜାତିସଂଘକୁ ସ୍ପଷ୍ଟ ଭାବେ କହିଛନ୍ତି ଯେ ଇସ୍ରାଏଲ ଗାଜା ଅକ୍ତିଆର କରିବା ଉଚିତ ହେବନାହିଁ । ସେପଟେ ଆକ୍ରମଣ ପୂର୍ବରୁ ଗାଜା ଛାଡିବାକୁ ସମସ୍ତଙ୍କୁ ପୁଣି ସମୟ ଦେଇଛି ଇସ୍ରାଏଲ । ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ସାଧାରଣ ଲୋକ ଗାଜା ଛାଡି ଚାଲିଯିବା ପାଇଁ କହିଛି । ଗାଜାର ଠିକଣା ଅସ୍ତ୍ରଶସ୍ତ୍ର ସହ ସେମାନଙ୍କ ଟନେଲକୁ ଧ୍ବଂସ କରିବାକୁ ଯୋଜନା କରିଛି ଇସ୍ରାଏଲ ସେନା ।
ହମାସର ପେଣ୍ଠସ୍ଥଳୀ ଗାଜାକୁ ମାଟିରେ ମିଶାଇବାକୁ ପଣ କରିଥିବା ଇସ୍ରାଏଲ ପ୍ରତି ସ୍ୱର ମିଳାଇଛନ୍ତି ଆମେରିକା ରାଷ୍ଟ୍ରପତି । ନେତାନ୍ୟାହୁଙ୍କୁ ନିଜ ଦେଶର ରକ୍ଷା ପାଇଁ ଆକ୍ରମଣ କରିବାର ଅଧିକାର ଅଛି ବୋଲି କହିଛନ୍ତି ବାଇଡେନ । ଆଇଡିଏଫ ଗାଜା ଭିତରରେ ପ୍ରବେଶ କରି ଆତଙ୍କୀଙ୍କ ଆଡ୍ଡା ଧ୍ବଂସ କରିଚାଲିଛନ୍ତି । ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଟ୍ୟାଙ୍କ ସହ ଗାଜାରେ ପ୍ରବେଶ କରିବା ପରେ ମୁସଲିମ ରାଷ୍ଟ୍ରମାନେ ପାଲେଷ୍ଟାଇନ ପ୍ରତି ସମର୍ଥନ ଜଣାଇଛନ୍ତି । ଆମେରିକା ରାଷ୍ଟ୍ରପତି ବାଇଡେନ ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହାମ୍ମୁଦ ଆବାସଙ୍କ ସହିତ ଫୋନ୍ରେ କଥା ହୋଇଛନ୍ତି । ହମାସ୍ ଆତଙ୍କବାଦୀଙ୍କୁ ଶେଷ କରିବା ଉଚିତ୍। କିନ୍ତୁ ଗାଜାପଟ୍ଟିକୁ କବଜା କରିବା ଠିକ୍ ନୁହେଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି। ଇସ୍ରାଏଲ-ହମାସ୍ ଯୁଦ୍ଧ ପାଇଁ ପ୍ରାୟ ୧୦ ଲକ୍ଷ ଗାଜା ନିବାସୀ ବିସ୍ଥାପିତ ହୋଇ ଅନ୍ୟ ଦେଶକୁ ପଳାୟନ ପାଇଁ ଚାହୁଁଛନ୍ତି । ସେପଟେ ଇଜିପ୍ଟର ଏକ ମାତ୍ର ପ୍ରବେଶ ପଥକୁ ମଧ୍ୟ ବନ୍ଦ କରିଦିଆଯାଇଥିବାରୁ ଗାଜାର ସାଧାରଣ ଲୋକ ଚିନ୍ତିତ ଅଛନ୍ତି । ହମାସ ଆତଙ୍କବାଦୀଙ୍କ ପାଇଁ ଲକ୍ଷ ଲକ୍ଷ ଗାଜାବାସୀ କଷ୍ଟ ଭୋଗୁଛନ୍ତି । ଗାଜାରେ ବିଜୁଳି, ପାଣି,ଇନ୍ଧନର ସଂକଟ ଦେଖାଦେଇଥିବା ବେଳେ ଆସନ୍ତାକାଲିଠାରୁ ଆକ୍ରମଣ ଜୋରଦାର ହେବ ବୋଲି ଇସ୍ରାଏଲ ସେନା କହିଛି ।