ଓଡ଼ିଶା 365 (ବ୍ୟୁରୋ): ଇଣ୍ଡିଆନ୍ ଆଇଡଲ ମଞ୍ଚରେ ଚମକିଲେ ଓଡିଆ ପୁଅ ଡାକ୍ତର ରୋହନ ବିଶ୍ୱାଳ । ଯାହାଙ୍କ ପେଶା ଡାକ୍ତର କିନ୍ତୁ ନିଶା ସଙ୍ଗୀତ । ରିଏଲିଟି ଟିଭି ସୋ ଇଣ୍ଡିଆନ ଆଇଡଲରେ ରୋହନ କହିଛନ୍ତି ଯେ, ମ୍ୟୁଜିକ୍ ହେଉଛି ମୋ ଜୀବନ , ପେଶା ହେଉଛି ଡାକ୍ତର । ମୁଁ ଯେତେବେଳେ କୁନି କୁନି ପିଲାଙ୍କୁ ଟ୍ରିଟମେଣ୍ଟ୍ କରେ ସେତେବେଳେ ମୁଁ ଗୀତ ଗାଇ ସେମାନଙ୍କୁ ମନୋରଞ୍ଜନ କରିଥାଏ । ସେ ଆହୁରି ମଧ୍ୟ କହିଥିଳେ ଯେ, ମୁଁ ଭୁବନେଶ୍ୱର ଆଇଏମଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍ରେ ଶିଶୁ ରୋଗ ବିଭାଗରେ ହାଉସ୍ ସର୍ଜନ୍ ଭାବେ କାର୍ୟ୍ୟ କରୁଛନ୍ତି । କାମ କରିବା ସମୟରେ ବି ଗୀତ ଗାଇ ମୁଁ ଶିଶୁମାନଙ୍କ ଚିକିତ୍ସା କରିଥାଏ । ‘ଇଣ୍ଡିଆନ୍ ଆଇଡଲ୍-୧୪’ରେ ଓଡ଼ିଆ ପୁଅ ଡାକ୍ତର ରୋହନ ବିଶ୍ୱାଳ । ଗୋଲ୍ଡେନ୍ ଟିକଟ୍ ସହ ଶୋ’ରେ ଥିଏଟର୍ ରାଉଣ୍ଟରେ ସଫଳ ହୋଇ ଟପ୍ ୨୭ରେ ଅଛନ୍ତି । ଯେଉଥିପାଇଁ ତାଙ୍କୁ ଓ ତାଙ୍କ ଗୀତକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗି ରହିଛି । ଏହି ଶୋ’ ପରେ ସେ ଜାତୀୟ ସ୍ତରରେ ବି ନିଜକୁ ଏକ ଚର୍ଚ୍ଚିତ ଚେହେରା ରୂପେ ଗଢ଼ିତୋଳିଛନ୍ତି ।
ସୂଚନା ଅନୁଯାୟୀ, ସବୁଠୁ ବଡ଼ ଜାତୀୟ ସ୍ତରୀୟ ଏହି ସଙ୍ଗୀତ ପ୍ରତିଯୋଗିତା ଭିର୍ତ୍ତିକ ଶୋ’ର ଏକ ଏପିସୋଡ୍ ରବିବାର ରାତି ୮ଟା ସୋନି ଟିଭିରେ ପ୍ରସାରିତ ହୋଇଥିଲା । ଯେଉଁଥିରେ ରୋହନ ‘କବିର ସିଂ’ ସିନେମାର ଗୀତ ‘କୈସା ହୁଆ’ ଗାଇ ସମସ୍ତଙ୍କ ମନ ଜିଣିନେଇଥିଲେ । ସେଠାରେ ଉପସ୍ଥିତ ଥିବା ବଲିଉଡର ୩ ଲୋକପ୍ରିୟ ସଙ୍ଗୀତ ବିଚାରକ ବିଶା ଦଦଲାନି, କୁମାର ସାନୁ ଓ ଶ୍ରେୟା ଘୋଷାଲ ଗୀତର ତାଳେ ତାଳେ ଝୁମିବା ସହ ଛିଡ଼ା ହୋଇ ମଧ୍ୟ ରୋହନଙ୍କୁ ଅଭିବାଦନ ଜଣାଇଥିଲେ। ଏବଂ ରୋହନଙ୍କୁ ବହୁତ ପ୍ରଶଂସା କରିଥିଲେ । ଯେତେବେଳେ ସାନୁ ଶୁଣିଲେ ଯେ, ରୋହନ ଜଣେ ଡାକ୍ତର ସେ ପ୍ରଥମେ ଆଶ୍ଚର୍ୟ୍ୟ ହୋଇଥିଲେ । ପରେ କହିଥିଲେ, ଯଦି ଗୀତ ଗାଇ ପୂରା ଇଣ୍ଡିଆ ବୁଲିବ, ତେବେ ତୁମେ ‘ଡା. ସିଙ୍ଗର୍’ ନାମରେ ପ୍ରସିଦ୍ଧ ହୋଇଯିବ । ବହୁତ ସୁନ୍ଦର ଗାଉଛ ବୋଲି ରୋହନଙ୍କୁ ସାନୁ କହିଥିଲେ ।
ଖବର ମୁତାବକ, ୨୦୧୪ ମସିହାରେ ଏମ୍ବିସି ଟିଭି ପକ୍ଷରୁ ‘ସନ୍ତୁର ସିଙ୍ଗିଙ୍ଗ୍ ସୁପରଷ୍ଟାର ଜୁନିଅର’ ହେବା ସହ ୨୦୧୫ରେ ‘ଇଣ୍ଡିଆନ୍ ଆଇଡଲ୍ ଜୁନିଅର’ ଟପ୍-୨୦ରେ ସ୍ଥାନ ପାଇଥିଲେ । ଏବେ ପୁଣି ଥରେ ସୁଯୋଗ ମିଳିବାରୁ ପ୍ରଥମେ ଭୁବନେଶ୍ୱର ପରେ କୋଲକାତା, ତା ପରେ ମୁମ୍ବାଇରେ ଅଡିସନ୍ ସହ ବିଭିନ୍ନ ପର୍ୟ୍ୟାୟ ଦେଇ ସର୍ବଭାରତୀୟ ସ୍ତରରେ ୬୦ ଜଣଙ୍କ ମଧ୍ୟରେ ରହିଥିଲେ । ଏବେ ସେଥିରୁ ଉନ୍ନୀତ ହୋଇ ଟପ୍-୨୭ରେ ପହଞ୍ଚିଛନ୍ତି ଓଡିଆ ପୁଅ ଡାକ୍ତର ରୋହନ ବିଶ୍ୱାଳ ।