ଓଡ଼ିଶା 365 (ବ୍ୟୁରୋ) : ଲକ୍ଷ୍ନୌରେ ଖେଳାଯାଉଥିବା ଆଇସିସି ବିଶ୍ୱକପରେ ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଚଳିତ ବିଶ୍ୱକପ୍ ରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ ହାସଲ କରିଛି। କ୍ରମାଗତ ଦୁଇଟି ପରାଜୟ ପରେ ବିଜୟ ଟ୍ରାକକୁ ଫେରିଲା ଅଷ୍ଟ୍ରେଲିଆ।
୩ଟି ମ୍ୟାଚରୁ ପ୍ରଥମ ବିଜୟ ସହ ନିଜର ପଏଣ୍ଟ ଖାତା ଖୋଲିଛି କଙ୍ଗାରୁ ଦଳ। ଅନ୍ୟପଟେ ଶ୍ରୀଲଙ୍କା ପ୍ରଥମ ଦଳ ଭାବେ ହ୍ୟାଟ୍ରିକ
ପରାଜୟ ଭୋଗିଛି। ଅଷ୍ଟ୍ରେଲିଆ ବିଜୟର ପ୍ରମୁଖ ହିରୋ ସାଜିଛନ୍ତି ଆଡମ ଜାମ୍ପା । ଶ୍ରୀଲଙ୍କାର ୨୧୦ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୩୫.୧ ଓଭରରେ ହାସଲ କରିନେଇଥିଲା ।
ଦଳ ପକ୍ଷରୁ ଜସ୍ ଇଂଗଲିସ୍ ୫୮ ରନ କରିଥିବାବେଳେ ମିଚେଲ୍ ମାର୍ସ ୫୨ ରନ କରିଥିଲେ । ମାର୍ନସ ଲାବୁସଚେନ ୪୦ ରନ କରିଥିଲେ ଓ ଗ୍ଲେନ ମାକ୍ସଓ୍ବେଲ ଅପରାଜିତ ୩୧ରନ ପାରି ଖେଳି ଦଳ ପାଇଁ ବିଜୟ ଆଣିଦେଇଥିଲେ ।ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ପଥୁମ ନିଶଙ୍କା ଓ କୁଶଲ ପରେରା ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଏକ ଶତକୀୟ ପାର୍ଟନରସିପ କରିଥିଲେ । କିନ୍ତୁ ପରେରା ୭୮ ରନ ଓ ନିଶଙ୍କା ୬୧ ରନ କରି ଆଉଟ ହେବା ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।
କେବଳ ଅଶଲଙ୍କାଙ୍କୁ ଛାଡ଼ିଦେଲେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ଅଙ୍କ ଛୁଇଁପାରିନଥିଲେ । ଫଳରେ ଏକଦା ୩୦୦ ରନ କରିବାପରି ଲାଗୁଥିବା ଶ୍ରୀଲଙ୍କା ଦଳ ମାତ୍ର ୨୦୯ ରନରେ ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି ଓ୍ବିକେଟ ନେଇଥିବାବେଳେ ପାଟ କମିନ୍ସ ଓ ମିଚେଲ ଷ୍ଟାର୍କ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଶ୍ରୀଲଙ୍କା ପକ୍ଷରୁ ଦିଲଶନ ମଦୁଶଙ୍କା ୩୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।