ଓଡ଼ିଶା 365 (ବ୍ୟୁରୋ) : ମା’ଙ୍କ ସ୍ୱାଗତରେ ସଜେଇ ହେଲାଣି ପୁରା ରାଜଧାନୀ । ଛକଛକରେ ହେଲାଣି ଭିଡ଼, ସବୁ ଗଳିରେ ରଙ୍ଗ ବେରଙ୍ଗର ଝିଲିମିଲି ଆଲୁଅରେ ସଜେଇ ହେଉଛି ପୂରା ଭୁବନେଶ୍ୱର । ଆଉ ଦିନ କେଇଟାରେ ଧରାବତରଣ କରିବେ ମା
ସାରା ରାଜ୍ୟରେ ଦୁର୍ଗାପୂଜା । ଚଳ ଚଞ୍ଚଳ ହୋଇଉଠିଛି ପଲ୍ଲୀ ଠାରୁ ସହର। ଯୁଆଡେ ଦେଖିବା ଖାଲି ପୂଜାର ମାହୋଲ । କଟକ, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ଢେଙ୍କାନାଳରେ ଦଶହରାର ମାହୋଲ ଆହୁରି ଅଧିକା ଆକର୍ଷଣ । ଭୋଦୁଅ ପରେ ପରେ ଧରଣୀ ରାଣୀକୁ ସବୁଜ ହରିତ ରଙ୍ଗର ଶାଢୀରେ ସଜାଇ, କାଶତଣ୍ଡୀର ଶୁଭ୍ରଟିପାରେ ରଙ୍ଗାଇ ବରଷାରାଣୀ ରାଣୀମା’ ମହାମାୟୀ ଆଦିଶକ୍ତି ଦୁର୍ଗେ ଦୁର୍ଗତୀ ନାଶିନୀଙ୍କ ସ୍ୱାଗତ ସମ୍ଭାର ରଚାଇ ବିଦାୟ ନେଇଛି ଓ ଶରଦର ନିର୍ମଳ ଗଗନରେ ତୋଫା ଚନ୍ଦ୍ରମା ହସି ହସି ମାଆଙ୍କୁ ଓହ୍ଲାଇ ଆଣିଛି ଧରା ।
ନବରାତ୍ରି ପୂଜାରେ ସୁଦୂର ପଲ୍ଲୀରୁ ସହର ଯାଏଁ ଖାଲି ଆନନ୍ଦର କୋଳାହଳମୟ ବାତାବରଣ । ଘରେ ଘରେ ମାଙ୍କ ଆଗମନ ପାଇଁ ଶକ୍ତିଧାତ୍ରୀ ଦୁର୍ଗାଙ୍କୁ ଆବାହନ କରାଗଲାଣି । ଖାଲି ସେତିକି ନୁହେଁ ସାହି, ଗଳି, ବଜାରରେ ମାଆଙ୍କର ମେଢ ଓ ତୋଫା ରଙ୍ଗିନୀ ଆଲୋକମାଳାର ସାଜସଜା ଏବେଠୁଁ ଭକ୍ତଙ୍କ ମନକୁ ଆନ୍ଦୋଳିତ କଲାଣି । ସତରେ କେତେ ସୁନ୍ଦର ଦଶହରାର ଏ ପୂଜା ବଜାର ।