ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ଓଲିଉଡର ଷ୍ଟାର ଦମ୍ପତ୍ତି ବର୍ଷା- ଅନୁଭବଙ୍କ ବିବାଦ ଭିନ୍ନ ମୋଡ ନେବାରେ ଲାଗିଛି। ବିବାହ ବିଚ୍ଛେଦ ପାଇଁ ପରିବାର ଅଦାଲତରୁ ନିରାଶ ହେବା ପରେ ଶେଷରେ ପରିବାର ଅଦାଲତ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ପରିବାର ଅଦାଲତର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ଆଇନଜୀବୀ ଲଳିତେନ୍ଦୁ ମିଶ୍ରଙ୍କ ଜରିଆରେ ହାଇକୋର୍ଟରେ ଏହି ଆବେଦନ କରିଛନ୍ତି ଅନୁଭବ ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୨ ତାରିଖରେ ରାୟ ଶୁଣାଇଥିଲେ କଟକ ପରିବାର ଅଦାଲତ। ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଆବେଦନ କରିଥିଲେ ଅନୁଭବ। ତେବେ ଏହି ଆବେଦନକୁ ଖାରଜ କରିଥିଲେ କୋର୍ଟ। ପତ୍ନୀ ବର୍ଷା ମଧ୍ୟ ଏକତ୍ର ରହିବା ପାଇଁ ଏକ ପିଟିସନ କରିଥିଲେ । ବିବାହ ବିଚ୍ଛେଦ ପାଇଁ ଅନୁଭବଙ୍କ ପକ୍ଷରୁ ଦର୍ଶାଯାଇଥିବା କାରଣ ଗ୍ରହଣୀୟ ନୁହେଁ ବୋଲି ପରିବାର ଅଦାଲତ ମତଦେବା ସହ ପିଟିସନ୍ ଖାରଜ କରିଦେଇଥିଲେ । ପରିବାର ଅଦାଲତଙ୍କ ଏଭଳି ରାୟକୁ ଚାଲେଞ୍ଜ କରି ଅନୁଭବ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।