ଓଡ଼ିଶା 365 (ବ୍ୟୁରୋ) : ନିଜର ଲୋକ ସବୁ କରିଦେଲେ ପର, ଆର ପର ଲୋକଟି କରିନେଲା ନିଜର । କେତେବେଳେ ଜେ ଜୀବନରେ କେବେ କଣ ଘଟେ ତାହା ଆକଳନ କରିବା ବଡ଼ ମୁସ୍କିଲ । ଏଇ ଯେମିତି ଜୀବନସାଥୀ ଦେଲା କୁଷ୍ଠାଶ୍ରମ । ଦିନେ ଥିଲେ ସେମାନେ ଅଲୋଡ଼ା । ପରିବାରଠୁ ଆରମ୍ଭ କରି ବନ୍ଧୁ ବାନ୍ଧବ ସମସ୍ତେ ତାଙ୍କୁ କରିଥିଲେ ସାତପର । ଅସହାୟ ଜୀବନ ବଞ୍ଚୁଥିବା ଦୁଇଟି ଜୀବନ ଏବେ ପରସ୍ପରର ସାଥୀ ହୋଇଛନ୍ତି । ତାହା ପୁଣି ବାର୍ଦ୍ଧକ୍ୟରେ । ଜୀବନରେ ହାରୁ ହାରୁ ଜିତିଯାଇଛନ୍ତି ଦୁଇ ମଣିଷ । ବାଲେଶ୍ୱର ସହର ଉପକଣ୍ଠ ବାମପଦାସ୍ଥିତ କୁଷ୍ଠାଶ୍ରମରେ ପରିଣତ ବୟସରେ କୁଷ୍ଠାଶ୍ରମର ୨ ଜଣ ଅନ୍ତେବାସୀ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ୬୩ ବର୍ଷୀୟ ବର ଦାସ ମାରାଣ୍ଡି ଓ ୬୫ ବର୍ଷୀୟ କନ୍ୟା ପଦ୍ମାବତୀ ଦାସ । କୁଷ୍ଠାଶ୍ରମର ଡାକ୍ତର ଓ ଅନ୍ତେବାସୀଙ୍କ ସହଯୋଗରେ ଆଶ୍ରମ ପରିସରରେ ନିରାଡ଼ମ୍ବର ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି।
ଆଜିକୁ ୧୦ ବର୍ଷ ତଳେ କୁଷ୍ଠ ରୋଗରେ ପୀଡ଼ିତ ହୋଇଥିଲେ ପଦ୍ମାବତୀ। ଯେତେବେଳେ ସେ ଜାଣିଲେ ତାଙ୍କୁ ଏପରି ରୋଗ ହୋଇଛି ସେ ବିଶ୍ବାସ କରିପାରିନଥିଲେ ।
ଭଗବାନଙ୍କ ଭରସାରେ ଜିଉଁଥିଲେ । ପରିବାର ଲୋକେ ତାଙ୍କୁ ଘୃଣାଚକ୍ଷୁରେ ଦେଖିବା ଆରମ୍ଭ କରିବାରୁ ଶେଷରେ ପଦ୍ମାବତୀ ଘର ଛାଡ଼ି ବାମପଦାରେ ଥିବା କୁଷ୍ଠାଶ୍ରମରେ ରହି ଚିକିତ୍ସିତ ହେଲେ। ଅନ୍ୟପଟେ ବାଲେଶ୍ୱର ସଦର ବ୍ଲକ୍ ସାର୍ଥା ଗ୍ରାମର ଦାସ ମାରାଣ୍ଡିଙ୍କ ଜୀବନ ମଧ୍ୟ ସେହିଭଳି କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ଦୁର୍ବିସହ ହୋଇପଡିଥିଲେ । ପରିବାର ଲୋକଙ୍କଠାରୁ ଆରମ୍ଭ କରି ସବୁ ନିଜର ଲୋକେ ତାଙ୍କୁ ଘୃଣା ଚକ୍ଷୁରେ ଦେଖିଲେ । ଏପରିକି ପରିବାର ଲୋକେ ତାଙ୍କୁ ଘରୁ ବାହାର କରି ଦେଇଥିଲେ। ଆଜିକୁ ୩ ବର୍ଷ ତଳେ ଆସି ଦାସ ମାରାଣ୍ଡି କୁଷ୍ଠାଶ୍ରମରେ ରହିଥିଲେ । ଆଶ୍ରମରେ ଭଗବାନଙ୍କୁ ଡାକି ଜୀବନ ଜିଉଁଥିଲେ । ତେବେ ପରେ ଚିକିତ୍ସା ହେବାରୁ ଦୁଇଜଣ ଆରୋଗ୍ୟ ହୋଇଥିଲେ । ତେବେ ଘର ଲୋକେ ତାଙ୍କୁ ପରକରିଥିବାରୁ ଅନ୍ୟମାନଙ୍କ ଭଳି ସେ ସେଠାରେ ରହିବାକୁ ନିଷ୍ପତ୍ତି ନେଇଥିଲେ । କିଛି ଦିନ ଯିବା ପରେ ଦୁଇଜଣ ବିବାହ ହେବା ପାଇଁ ମନସ୍ତ କଲେ । ତେବେ ସେତେବେଳକୁ ଦୁଇଜଣ ଯାକ ବାର୍ଦ୍ଧକ୍ୟରେ ପହଁଚି ଯାଇଛନ୍ତି । ଏସମାଜ କଣ ଭାବିବ ତାହା ଚିନ୍ତା ନକରି ଦୁହେଁ ଦୁହିଁ ହାତ ଘରି ବାଟ ଚାଲିବାକୁ ନିଷ୍ପତ୍ତି ନେଲେ । କଥାଟି ଶୁଣିବାକୁ ଟିକିଏ ଅଡୁଆ ଲାଗିଲେ ବି ସତ । ଭଲପାଇବା ଆଗରେ , ବୟସ ବା କଣ ଜିତିପାରିବ। ପରିଣତ ବୟସରେ ଅନ୍ୟ ପାଇଁ ବଞ୍ଚିବାର ଉଦାହରଣ ସାଜିଛନ୍ତି ପଦ୍ମାବତୀ ଏବଂ ଦାସ । କୁଷ୍ଠାଶ୍ରମ ଅନ୍ତେବାସୀରୁ ବନିଛନ୍ତ ଦମ୍ପତି ।
କୁଷ୍ଠାଶ୍ରମର ଡାକ୍ତର ଓ ଅନ୍ତେବାସୀଙ୍କ ସହଯୋଗରେ ଆଶ୍ରମ ପରିସରରେ ନିରାଡ଼ମ୍ବର ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଏ ବିବାହ କରି ଦମ୍ପତି ପ୍ରମାଣ କରି ଦେଇଛନ୍ତି ଜିଇଁବା ପାଇଁ କିଛି କାରଣ ଖୋଜିବାକୁ ପଡେନି । ବାର୍ଦ୍ଧକ୍ୟ ଜୀବନରେ ପରସ୍ପରର ଯତ୍ନ ନେବା ପାଇଁ ଶପଥ ନେଇଛନ୍ତି ପଦ୍ମାବତୀ ଓ ଦାସ । ଦିନ ଥିଲା ଏ ସମାଜ କୁଷ୍ଠ ରୋଗୀକୁ ହୃଣା କରୁଥିଲା,କିନ୍ତୁ ଏହା ମଧ୍ୟ ମନେ ରଖିବା ଉଚିତ ରୋଗକୁ ଘୃଣା କରିବା ରୋଗୀକୁ ନୁହେଁ। କାରଣ ଯେତେବେଳେ ୨ଟି ପରିବାର ୨ଜଣଙ୍କୁ ଘରୁ ବାହାର କରିଦେଇଥିଲେ ଏମାନେ ବଞ୍ଚିବାର ଆଶା ନଛାଡି ସଂଘର୍ଷ କରିଥିଲେ । ଶେଷରେ ବୈଦିକ ରୀତିନୀତିରେ ଦୁହେଁ ଦୁହିଁଙ୍କୁ ସାତଜନମର ସାଥୀ କରିଛନ୍ତି। ଭଗବାନ ଦେଖାଇଛନ୍ତି ବଞ୍ଚିବାର ନୂଆ ରାସ୍ତା । ଏକାଠି ହୋଇ ଅନ୍ୟ ଜଣଙ୍କ ପାଇଁ ବଞ୍ଚିବେ ବୋଲି ଦୁଇଜଣ ଆଶା ବାଢ଼ିଛନ୍ତି ।