ଓଡ଼ିଶା 365 (ବ୍ୟୁରୋ): ଧିରେ ଧିରେ ଫିଟୁଛି ଜାହାଜ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବା ମାମଲାରେ ସିବିଆଇ ହାତରେ ଗିରଫ ହୋଇଥିବା ଲାଞ୍ଚୁଆ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଗୁମର। ୫୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତ ଗୁରୁବାର ଡାକ୍ତର ପାଣିଗ୍ରାହୀଙ୍କୁ ଗିରଫ କରିଥିଲା ସିବିଆଇ । ଦୁଇଟି ପର୍ଯ୍ୟାୟରେ ୬ ଦିନ ପାଇଁ ସିବିଆଇ ରିମାଣ୍ଡରେ ନେଇଥିଲା ବେଳେ ସୋମବାର ରାଜେନ୍ଦ୍ରଙ୍କ ସରିଛି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ତାଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି । ତେବେ ଡାକ୍ତରଙ୍କ ଓକିଲ ଜାମିନ ଆବେଦନ କରିଥିବାବେଳେ ଏହାର ଶୁଣାଣି ଆସନ୍ତାକାଲି ହେବ । ତେବେ ଲାଞ୍ଚୁଆ ଡାକ୍ତରବାବୁଙ୍କ ଆଜି ଏକ ଗୁନର ଫିଟିଛି । ଲୁଟ ଟଙ୍କାରେ ମାଙ୍କୁ ନୟାପଲ୍ଲୀରେ ୮୦ ଲକ୍ଷର ଫ୍ଲାଟ ଉପହାର ଦେଇଥିଲା ଲାଞ୍ଚୁଆ ଡାକ୍ତର। ଜଣେ ବିଲଡରଙ୍କଠାରୁ ନଗଦ ଟଙ୍କା ଦେଇ କିଣା ଯାଇଥିଲା ଫ୍ଲାଟ । ନୂଆ ଫ୍ଲାଟରେ ମଧ୍ୟ ସିବିଆଇ ପକ୍ଷରୁ ମଧ୍ୟ ଚଢ଼ାଉ କରାଯାଇଛି ।
କେବଳ ସେତିକି ନୁହେଁ ଭୁବନେଶ୍ୱରରେ ରହୁଥିବା ଡାକ୍ତରଙ୍କ ସମ୍ପର୍କୀୟ ମାନଙ୍କ ଘରେ ମଧ୍ୟ ସିବିଆଇର ସ୍ୱତନ୍ତ୍ର ଟିମ ରେଡ କରିଥିଲା । ଖୁବଶୀଘ୍ର ଏହି ଘଟଣାରେ ଡାକ୍ତରଙ୍କ ସମ୍ପର୍କୀୟଙ୍କୁ ସିବିଆଇ ଅଫିସକୁ ମଧ୍ୟ ଡାକରା ଆସିପାରେ ବୋଲି ସିବିଆଇ ସୂତ୍ରରୁ ଖବର ମିଳିଛି । ଏହାସହିତ ଛଅ ଦିନିଆ ରିମାଣ୍ଡ ଅବଧି ଭିତରେ ଏକାଧିକ ବ୍ୟକ୍ତି ବିଶେଷଙ୍କୁ ଟଙ୍କା ଦେଇଥିବାର କଥା ମାନିଥିବାବେଳେ ନିଜ ସମ୍ପର୍କୀୟଙ୍କ ସମେତ ବନ୍ଧୁବାନ୍ଧବମାନଙ୍କ ତାଲିକା ଡାକ୍ତର ସିବିଆଇକୁ ଦେଇଛନ୍ତି ।