ଓଡ଼ିଶା 365 (ବ୍ୟୁରୋ): ମୋବାଇଲ ପାଇଁ ସାଙ୍ଗର ଜୀବନ ନେଲା ସାଙ୍ଗ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମାଧପୁର ପଞ୍ଚାୟତ ଅଣଖାସାହିରେ। ମୃତ ଯୁବକ ହେଉଛନ୍ତି ମାଧପୁର ପଞ୍ଚାୟତ ଅଣଖାସାହିର ରମେଶ ଦାସଙ୍କ ପୁଅ ସୁକାନ୍ତ ଦାସ । ତାଙ୍କ ଵୟସ ୨୨ ବର୍ଷ ବୋଲି ଜଣାପଡିଛି । ତେବେ ସ୍ଥାନୀୟ ନଟିଆ ଯୋରରୁ ଯୁବକଙ୍କ ମୃତଦେହ ଉଦ୍ଦାର କରାଯାଇଛି।
ସୁଚନାଯୋଗ୍ୟ, ସୁକାନ୍ତ ଦାସ ଓ ଜୟଦେବ ଦାସ ୨ ସାଙ୍ଗ ଥିଲେ। କିଛି ଦିନ ପୂର୍ବରୁ ମୃତ ସୁକାନ୍ତ ଓ ଜୟଦେବ ଦାସ ମୋବାଇଲରେ ଗେମ୍ ଖେଳୁଥିଲେ । ଏହି ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେବାରୁ ସୁକାନ୍ତ ଜୟଦେବର ମୋବାଇଲକୁ ଭାଙ୍ଗି ଦେଇଥିଲେ । ଅନେକ ଥର ଜୟଦେବ ମୋବାଇଲ କିଣିବାକୁ ସୁକାନ୍ତକୁ କହିଥିଲେ । ହେଲେ ସୁକାନ୍ତ ଟଙ୍କା ଦେଉନଥିଲା । ତେଣୁ ଜୟଦେବ ତାଙ୍କୁ ହତ୍ୟା କରିବାକୁ ରଚିଥିଲା ପ୍ଲାନ । ଗତ ଶୁକ୍ରବାର ଦିନ ସଂଧ୍ୟା ସମୟରେ ସାଙ୍ଗମାନଙ୍କ ସହିତ ମୋବାଇଲରେ ଗେମ୍ ଖେଳୁଥିଲେ । ରାତିପ୍ରାୟ ୮ଟା ସମୟ ଠାରୁ ସୁକାନ୍ତ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ବି ସୁକାନ୍ତଙ୍କ କୌଣସି ପତ୍ତା ମିଳିନଥିଲା । ଶେଷରେ ଶନିବାର ଦିନ ଚାନ୍ଦବାଲି ଥାନାରେ ପରିବାର ପକ୍ଷରୁ ଲିଖିତ ଭାବେ ଅଭିଯୋଗ ହୋଇଥିଲା ।
ଅଭିଯୋଗ ପରେ ଚାନ୍ଦବାଲି ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ପୋଲିସ ପ୍ରଥମେ ମୋବାଇଲ୍ ଟ୍ରାକିଂରୁ ତଦନ୍ତ ଆରମ୍ଭ କରିଥିଲା । ଚାଷ ଜମି ନିକଟରୁ ପୋଲିସକୁ ମୋବାଇଲ ମିଳିଥିଲା । ଏହାପରେ ସାଳନ୍ଦୀ ନଦୀର ଶାଖା ନଟିଆ ଯୋରରେ ମୃତଦେହ ଭାସୁଥିବାର ଗ୍ରାମବାସୀ ଦେଖିଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ। ପୋଲିସ ମୃତଦେହ ଜବତକରି ଶବ ବ୍ୟବଚ୍ଛେଦ କରିବା ସହ ତଦନ୍ତ ଚଳାଇଥିଲା। ତେବେ ଅଭିଯୁକ୍ତ ଜୟଦେବ ସୁକାନ୍ତକୁ ହତ୍ୟା କରିଥିବା ପୋଲିସ ଆଗରେ ସତ ମାନିଛି।