ଓଡ଼ିଶା 365 (ବ୍ୟୁରୋ) : କ୍ରିକେଟ ଷ୍ଟାଡିୟମରେ ଜୟ ଶ୍ରୀ ରାମର ନାରାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ବିଶେଷ କରି ବାମପନ୍ଥୀ ଏବଂ କଂଗ୍ରେସ ସମର୍ଥକମାନେ ଏହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି ଦର୍ଶକଙ୍କୁ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିଶ୍ୱକପ ମ୍ୟାଚ୍ ସମୟରେ ଅହମ୍ମଦାବାଦର କ୍ରିକେଟ୍ ଷ୍ଟାଡିୟମରେ ଜୟ ଶ୍ରୀ ରାମର ନାରା ଦେଇଥିଲେ ଦର୍ଶକ । ବିଶେଷ କରି ପାକିସ୍ତାନ ବ୍ୟାଟର ମହମ୍ମଦ ରିଜଓ୍ବାନ ଆଉଟ ହୋଇ ପାଭିଲିୟନ ଫେରୁଥିବା ବେଳେ ଦର୍ଶକମାନେ ଏହି ନାରା ଦେଇଥିବା ଭିଡିଓ ସୋସିଆଲ ମିଡିଆରେ ବେଶି ଭାଇରାଲ ହୋଇଥିଲା । ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । କିଛି ବ୍ୟକ୍ତି ଜୟ ଶ୍ରୀରାମ ନାରାକୁ ଆକ୍ରମଣାତ୍ମକ ସ୍ଲୋଗାନ କହୁଛନ୍ତି । ତେବେ ପଡ଼ିଆ ଭିତରେ ଯେତେବେଳେ ରିଜଓ୍ବାନ ନମାଜ ପାଠ କରନ୍ତି ସେତେବେଳେ ଏହି ବ୍ୟକ୍ତି ମାନେ ଚୁପ ରୁହନ୍ତି କାହିଁକି । ପ୍ରଶଂସକ ଦର୍ଶକମାନେ ପଡ଼ିଆ ଭିତରେ ଯାହା କହିଲେ ତାକୁ ନେଇ ଏଭଳି ଟ୍ରୋଲ କରାଯିବା କେତେ ଠିକ୍ ତାହା ଆଲୋଚନା ସାପେକ୍ଷ । କିଛି ସାମ୍ବାଦିକ ମଧ୍ୟ ଖେଳାଳିଙ୍କୁ ଏପରି ବ୍ୟବହାର କରିବାକୁ ନେଇ ପ୍ରଶ୍ନ କରିଛନ୍ତି । ସେମାନେ କହିବା କଥା ଖେଳରେ ହାରଜିତ ରହିଛି ।
ଖେଳାଳିଙ୍କୁ ଚିଡାଇବା ଦର୍ଶକଙ୍କ ପାଇଁ ଉଚିତ ହୋଇନାହିଁ । ତେବେ ଏହାର ଉତ୍ତରରେ ପୂର୍ବତନ ଭାରତୀୟ କ୍ରିକେଟର ଲକ୍ଷ୍ମଣ ସିଭାରାମକ୍ରିଷ୍ଣନ୍ କହିଛନ୍ତି ଆମେ ମଧ୍ୟ ଏଭଳି ଅନେକ ସମୟରେ ବ୍ୟବହାର ପାଇଛୁ । ପାକିସ୍ତାନରେ ଏବଂ ପାକିସ୍ତାନ ଖେଳାଳି ମଧ୍ୟ ଏହାକୁ ସମର୍ଥନ କରନ୍ତି । ତେଣୁ ଏହାକୁ ନେଇ ବିତର୍କ ହେବା ଜରୁରୀ ନୁହେଁ । ଏପରିକି ସେ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କୁ ସ୍ପଷ୍ଟ ଭାବେ କହିଥିଲେ ସେ ଯେଉଁ ଅଭିଯୋଗ ଆଣୁଛନ୍ତି ସେ ତାଙ୍କ କ୍ରିକେଟର ପିତାଙ୍କଠାରୁ କିଛି ଜ୍ଞାନ ନେଇଥାନ୍ତେ ତେବେ ଏହା କ୍ରିକେଟରେ ଚାଲେ ଏବଂ ସହଜ ବୋଲି ଜାଣିଥାନ୍ତେ । ସେ ଜୟ ଶ୍ରୀ ରାମ ନାରାକୁ ଆକ୍ରୋଶ ବୋଲି ଭାବିନଥାନ୍ତେ । ଜୟ ଶ୍ରରାମ ନାରା ଦର୍ଶକଙ୍କ ପାଇଁ ବିଶ୍ୱାସର ନାରା । ବିଜୟର ନାରା ଏହା ପଡ଼ିଆ ଭିତରେ ଅନେକ ଥର ଶୁଣାଯାଏ । ଦର୍ଶକଙ୍କ ପାଟିକୁ କେହି ବନ୍ଦ କରିପାରିବେ ନାହିଁ । ବିଜୟ ଦର୍ଶକ କିଭଳି ନାରା ଦେଇ ମନାଇଥାନ୍ତି ତାହା କଣ ସାମ୍ବାଦିକମାନେ ସ୍ଥିର କରିବେ କି? । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜୟ ଶ୍ରୀ ରାମର ସ୍ଲୋଗାନ ଦିଆଯିବାକୁ ସେ ଖରାପ ଦୃଷ୍ଟିରେ ଦେଖୁନାହାଁନ୍ତି । ଭାରତୀୟମାନେ ଅନ୍ୟଦେଶରେ ମଧ୍ୟ ଏପରି ବ୍ୟବହାର ଦେଖିଥାନ୍ତି । ବଡ଼ କଥା ହେଉଛି ଭାରତ ପାକିସ୍ତାନ ମ୍ୟାଚ ସଦାବେଳେ ହାଇଭୋଲଟେଜ ମ୍ୟାଚ ହୋଇଥାଏ ।
ଭାରତର କୋଟି କୋଟି ଲୋକ ପାକିସ୍ତାନକୁ ହରାଇବା ପାଇଁ ଏହି ମ୍ୟାଚ ଦେଖିଥାନ୍ତି । ଭାରତୀୟ ପ୍ରଶଂସକମାନେ ପାକିସ୍ତାନୀ ୱିକେଟ୍ କିପର ମହମ୍ମଦ ରିଜଓ୍ବାନଙ୍କୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜୟ ଶ୍ରୀ ରାମ ସ୍ଲୋଗାନ ଦେଇ ସ୍ୱାଗତ କରୁଥିବା ଭିଡିଓରେ ସେମିତି କିଛି ଖରାପ ବ୍ୟବହାର ଅନୁଭବ ହେଉନାହିଁ । ଭିଡିଓରେ ଦେଖାଯାଉଛି, ରିଜୱାନ୍ ୪୯ ରନରେ ବ୍ୟାଟିଂ କରୁଥିବା ବେଳେ ଭାରତୀୟ ବୋଲର ବୁମରାଙ୍କ ବଲରେ ଆଉଟ ହୋଇଥିଲେ । ଏଥିରେ ଦର୍ଶକମାନେ ବେଶ ଖୁସିମନାଇଥିଲେ । ଆଉଟ ହୋଇ ରିଜଓ୍ବାନ ପାଭିଲିୟନ ଆଡକୁ ଯାଉଥିବାବେଳେ ଭାରତୀୟ ସମର୍ଥକମାନେ ଜୟ ଶ୍ରୀ ରାମ ନାରା ଦେଇଥିଲେ । ତେବେ ଦର୍ଶକମାନେ କାହିଁକି ଏପରି କହିଲେ ତାକୁ ନେଇ ପ୍ରଶ୍ନ କରାଯାଉଛି । ଯେତେବେଳେ ରିଜୱାନ୍ ୮୦ହଜାରରୁ ଅଧିକ ଅଣ-ମୁସଲମାନ ସାମ୍ନାରେ ନମାଜ ଅର୍ପଣ କରିଥିଲେ ସେତେବେଳେ ସେ ନିଜକୁ ଖୁସି ଅନୁଭବ କରିଥିଲେ। କିନ୍ତୁ ରିଜଓ୍ନାନ ପଡ଼ିଆ ଭିତରେ ଯେତେବେଳେ ନମାଜ ପଢ଼ୁଥାନ୍ତି ସେତେବେଳେ କୈାଣସି ସାମ୍ବାଦିକ କି ବାମପନ୍ଥୀ ସମର୍ଥକମାନେ ତାଙ୍କୁ ପ୍ରଶ୍ନ କରିନଥାନ୍ତି କି ଟ୍ରୋଲ କରିନଥାନ୍ତି । ଏପରିକି ହାମାସ ଆତଙ୍କବାଦୀ ଆକ୍ରମଣରେ ୨ହଜାରରୁ ଉର୍ଦ୍ଧ ଲୋକ ଇସ୍ରାଏଲ୍ ନିହତ ହେବା ପରେ ରିଜୱାନ୍ ଶ୍ରୀଲଙ୍କା ବିପକ୍ଷ ବିଜୟକୁ ଗାଜା ବାସିନ୍ଦାଙ୍କୁ ଉତ୍ସର୍ଗ କରିଥିଲେ । ସେତେବେଳେ ମଧ୍ୟ ସେ କାହିଁକି ଏପରି କଲେ ଏହି ସାମ୍ବାଦିକମାନେ ପ୍ରଶ୍ନ କରିନଥିଲେ ।
ରାଜଦୀପଙ୍କ ଭଳି ବାମପନ୍ଥୀ ସାମ୍ବାଦିକ ଜୟ ଶ୍ରୀରାମଙ୍କ ନାରାକୁ ନେଇ ବିତର୍କ କରୁଥିବା ବେଳେ ଅନ୍ୟ ଦିଗପ୍ରତି ଆଖିବନ୍ଦ କରିଦେଉଥିବା ଅନେକ ୟୁଜର ମତ ପ୍ରକାଶ କରିଛନ୍ତି । ତାଙ୍କ ଭଳି ଅନେକ ପାକିସ୍ତାନୀ ପ୍ରଶଂସକମାନେ ପାକିସ୍ତାନୀ ଖେଳାଳିଙ୍କୁ ପରିହାସ କରିବା ପାଇଁ ଜୟ ଶ୍ରୀ ରାମକୁ ଆପତ୍ତିଜନକ ସ୍ଲୋଗାନ କହୁଛନ୍ତି । ତେବେ ଜୟ ଶ୍ରୀରାମ ନାରା କାହିଁ ଶତ୍ରୁତା, ଘୃଣା ସୃଷ୍ଟି କରିବ ଏହା ବୁଝାପଡୁନାହିଁ ।
ସଭିଏଁ ବୁଝିବାର ଆବଶ୍ୟକତା ଅଛି ଖେଳରେ ହାର ଜିତି ଅଛି
ମାତ୍ର ଖେଳରେ ଧର୍ମ ଓ ଜୟ ଶ୍ରୀ ରାମ ନାରାକୁ ନେଇ ବିବାଦ ଉଚିତ୍ ନୁହେଁ ବୋଲି ବୁଦ୍ଧିଜୀବି ମାନେ ମତ ରଖିଛନ୍ତି।