ଓଡ଼ିଶା 365 (ବ୍ୟୁରୋ): ପୁଣି ଓଡ଼ିଶା ମୁହାଁ ହେଉଛି ଲଘୁଚାପ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୨୬ ପର୍ଯ୍ୟନ୍ତ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ସେହିପରି ଘୂର୍ଣ୍ଣିବଳୟ ପ୍ରଭାବରେ ପାଗ କୋହଲା ରହିପାରେ । ୱିଣ୍ଡି ଡଟ୍ କମ୍ ଜିଏଫ୍ଏସ ମଡେଲ୍ର ଆକଳନ ଅନୁଯାୟୀ, ରବିବାର ରାତି ୧୦ଟା ସୁଦ୍ଧା ଏକ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଏହା ଓଡ଼ିଶା ମୁହାଁ ହେବ । ୨୪ ତାରିଖ ବେଳକୁ ଓଡ଼ିଶା ଉପକୂଳ ପାଖରେ ରହିପାରେ । ଏମିତିକି ଗୋପାଳପୁରରୁ ଚିଲିକା ମଝିରେ ଏହା ସ୍ଥଳଭାଗ ଛୁଇଁପାରେ । ଟ୍ରପିକାଲ ଟିଡ୍ବିଟ୍ସ ଡଟକମ୍ରେ ଉପସ୍ଥାପିତ ଜିଏଫଏସ ଆକଳନ ଅନୁସାରେ, ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇପାରେ । ଏହା ବାଂଲାଦେଶ ଆଡ଼କୁ ମୁହାଁଇବ । ଆସନ୍ତା ୨୩ କିମ୍ବା ୨୪ ତାରିଖରେ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା ନେଇ ସମ୍ଭାବନା ରହିଛି । ଯଦି ପାଣିପାଗ ବିଭାଗର ଆକଳନ ସତ ହୁଏ ତେବେ ଏଥର ବର୍ଷାରେ ଭିଜିପାରେ ଦଶହରା ।
ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁଯାୟୀ, କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୮/୧୯ ତାରିଖବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ପରେ ଏହା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ । ଆସନ୍ତା ୨୨ କିମ୍ବା ୨୩ ତାରିଖବେଳକୁ ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ୨୩ ତାରିଖବେଳକୁ ଏହା ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରଭାବ ପକାଇବ ।