ଓଡ଼ିଶା 365 (ବ୍ୟୁରୋ): ପରଲୋକରେ ଓଡ଼ିଶାର ପ୍ରଖ୍ୟାତ ତଥା ପ୍ରଥମ ମହିଳା ଗୀତିକାର ବିନୋଦିନୀ ଦେବୀ। ଅନୁଗୁଳସ୍ଥିତ ତାଙ୍କ ସାନ ପୁଅଙ୍କ ବାସଭବନରେ ଆଜି ସକାଳୁ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ମସ୍ତିଷ୍କାଘାତରେ ଦୀର୍ଘ ମାସ ହେବ ଶଯ୍ୟାଶାୟୀ ଥିବା ବିନୋଦିନୀ ଦେବୀ । କଟକ ତିଗିରିଆରେ ୧୯୩୭ ମସିହାରେ ଜନ୍ମ ନେଇଥିଲେ ଗୀତିକାର ଶ୍ରୀମତୀ ବିନୋଦିନୀ ଦେବୀ । ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ସୁଜନପୁର ଗ୍ରାମରେ ବିବାହ କରିଥିଲେ । ଓଡ଼ିଆ ସୁଗମ ଏବଂ ଚଳଚ୍ଚିତ୍ର ସଂଗୀତର ଅପ୍ରତିଦ୍ୱନ୍ଦ୍ୱୀ ଗୀତିକାର ଥିଲେ ସେ ।
୧୯୫୮ ମସିହାରୁ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକବି ଭାବେ ନିଜର କ୍ୟାରିୟର ଜୀବନ ଆରମ୍ଭ କରିଥିବା ବିନୋଦିନୀ ଦେବୀ ୧୯୬୫ରେ ମୁକ୍ତିଲାଭ କରିଥିବା ‘ମଲାଜହ୍ନ’ ଚଳଚ୍ଚିତ୍ରରେ ସିନେମା ଜଗତରେ ଗୀତିକାର ଭାବେ ପାଦ ଥାପିଥିଲେ । ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱକାଳ ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ଓ ଅନ୍ୟ ପ୍ରସାରଣ ମାଧ୍ୟମ ପାଇଁ ଗୀତ ରଚନା କରିଛନ୍ତି । ତାଙ୍କ ରଚିତ ସିନେମାଗୀତଗୁଡ଼ିକ ମଧ୍ୟରେ ‘ମଲାଜହ୍ନ’ ଚଳଚ୍ଚିତ୍ରର ‘ରକତ ଟଳମଳ ଖଇର ପାଞ୍ଚପଳ’, ‘ଶ୍ରୀ ଜଗନ୍ନାଥ’ ଚଳଚ୍ଚିତ୍ରର ‘କାଳିଆ ଆସିଲା ଭାଇ କାଳିଆ ଆସିଲା’ ଓ ‘ସେ ତ ଭକତ ଭାବରେ ବନ୍ଧା’, ‘ତଅପୋଇ’ ଚଳଚ୍ଚିତ୍ରର ‘ନିରିମାଖୀ କୁଆଁରୀ ମୁଁ’ ଏବଂ ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ରର ‘ନଟ ହେ ମଞ୍ଜି ପୋତିଲ ତୁମେ’ ଗୀତ ବେଶ୍ ଲୋକପ୍ରିୟ। ସେହିପରି ତାଙ୍କ ରଚିତ ‘ଖୋକାଟିଏ ଖୋକିଟିଏ’ (ଶିଶୁଗୀତି ସଙ୍କଳନ), ‘ଅମୃତା’ (ଭକ୍ତିଗୀତି ସଙ୍କଳନ), ଟିକି ଟିକି ନାଲି କାଇଁଚ (ଶିଶୁଗୀତି ସଙ୍କଳନ), ‘ଏଇ କଳା ମୋର କଳଙ୍କ’ (ଆଧୁନିକ ଗୀତ ସଂକଳନ) ଆଦି ବେଶ୍ ଚର୍ଚ୍ଚିତ। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତଜଗତରେ ଶୋକର ଛାୟା ଖେଳିଯାଇଛି। ସୋସିଆଲ ମିଡିଆରେ ବହୁ ଅଭିନେତା, ଅଭିନେତ୍ରୀ ଓ ସିନେପ୍ରମୀ ବିନୋଦିନୀ ଦେବୀଙ୍କୁ ନେଇ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି।