ଓଡ଼ିଶା 365 (ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର। ଏନେଇ ଗଣମାଧ୍ୟମର୍ ପ୍ରତିକ୍ରିୟା ଦେଇ ସ୍ପଷ୍ଟ କରିଛନ୍ତି ନରସିଂହ। ସେ କହିଛନ୍ତି, ମୋତେ ୮୩ ବର୍ଷ ହେଲାଣି, ବିଭିନ୍ନ ରୋଗରେ ଆକ୍ରାନ୍ତ ହେଲିଣି। ଏଣୁ ଆଉ ନିର୍ବାଚନ ଲଢ଼ିବି ନାହିଁ। ଏଥିପାଇଁ ମୁଁ ମାନସିକ ସ୍ଥରରେ ସ୍ଥିର କରିସାରିଛି। ଏଥିପାଇଁ ମୋ ସମର୍ଥକଙ୍କ ମତାମତ ମଧ୍ୟ ନେଇଛି । ମୋ ସ୍ଥାନରେ ସାନ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗିରରୁ ପ୍ରାର୍ଥୀ ହେବ। ତା ବ୍ୟତୀତ ଆଉ କିଏ ପ୍ରାର୍ଥୀ ମୋ ନଜରକୁ ଆସିନାହିଁ। ଭବିଷ୍ୟତ କିଏ ଆସିବ କି ନାହିଁ ମୁଁ କହିପାରିବି ନାହିଁ। ଏ ନିମନ୍ତେ ମୋ ଦଳର ହାଇକମାଣ୍ଡଙ୍କୁ ଅବଗତ କରାଇଛି। ଦଳ ମୋ କଥା ବୁଝିଥିବ ବୋଲି ମୋ ଆଶା ରଖିଛି। ମୋ ପୁଅକୁ ପାର୍ଟି ଟିକେଟ ଦେବ ବୋଲି ଆଶା ରଖିଛି। ଏଥିପାଇଁ ମୁଁ ମୋ ପୁଅ ପାଇଁ ପ୍ରଚାର ଆରମ୍ଭ କରିଛି।
କହିରଖୁ କି, ୨୩ ଡିସେମ୍ବର ୧୯୪୦ ମସିହାରେ ବଲା଼ଙ୍ଗିର ଜିଲ୍ଲାର ଛତାମଖନା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ନରସିଂହ ମିଶ୍ର । ଓଡ଼ିଶା ବିଧାନ ସଭାର ବିରୋଧୀ ଦଳ ନେତା ଥିଲେ ଶ୍ରୀ ମିଶ୍ର। ସେ ୨୦୦୪-୨୦୦୯ ଯାଏଁ କଂଗ୍ରେସ ଦଳର ଉପସଭାପତି ରହିଥିଲେ। ୧୯୯୦ ମସିହାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଓଡ଼ିଶାର ଆଇନ ମନ୍ତ୍ରୀ ହୋଇଥିଲେ। ମାତ୍ର ୧୮ ବର୍ଷରୁ ନରସିଂହ ରାଜନୀତିରେ ସକ୍ରିୟ ହୋଇଥିଲେ। ମନ୍ତ୍ରୀ ପଦରେ ଥାଇ ମଧ୍ୟ ସେ ଓକିଲାତି ବୃତ୍ତି ଚାଲୁ ରଖିଥିଲେ। ଉଚ୍ଚ ନ୍ୟାୟାଳୟରେ ଓକିଲାତି କରି ଚାଷୀଙ୍କୁ ମାଗଣା ଧାନ ଯୋଗାଇ ଦେବାରେ ସଫଳ ହୋଇଥିଲେ। ୨୪ ଜାନୁଆରୀ ୨୦୧୭ରେ ନରସିଂହ ମିଶ୍ର ବିଧାନ ସଭା କାର୍ଯ୍ୟପରାମର୍ଶଦାତା କମିଟିରୁ ଇସ୍ତଫା ଦେଇଥିଲେ ।