ଓଡ଼ିଶା 365 (ବ୍ୟୁରୋ): ପରଲୋକରେ ପ୍ରଥମ ଓଡ଼ିଆ ମହିଳା ଗୀତିକାର ବିନୋଦିନୀ ଦେବୀ । ୮୪ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ବିନୋଦିନୀ । ଖବର ମୁତାବକ, ଓଡିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ଥିଲେ ବିନୋଦିନୀ ଦେବୀ । ସେ ପ୍ରଥମେ ୧୯୬୫ ମସିହାରେ ‘ମଲାଜହ୍ନ’ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ । ତାଙ୍କ ରଚିତ ଗୀତ ‘ତୁଚ୍ଛାକୁ ମହୁ’ରେ କଣ୍ଠଦାନ କରିଖିଲେ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ । ସେହିପରି ସେହି ଚଳଚ୍ଚିତ୍ରରେ ‘ମୋ ନାଁଟି ମୋ ନାଁଟି’ରେ କଣ୍ଠଦାନ କରିଥିଲେ ନନ୍ଦିତା ଘୋଷ ଏବଂ ‘ରକତ ଟଳମଳ ଖଇର ପାଞ୍ଚପଳ’ରେ କଣ୍ଠଦାନ କରିଥିଲେ ଭଟେରାନ ଅକ୍ଷୟ ମହାନ୍ତି । ଯେଉଁ ଗୀତକୁ ଲୋକମାନେ ବେଶ୍ ପ୍ରଶଂସା କରିଥିଲେ । ତା’ପରେ ଚଳଚ୍ଚିତ୍ର ‘ତଅପୋଇ’ ପାଇଁ ସେ ଲେଖିଥିଲେ ‘ଭିଣେଇ ବାବୁ ଭିଣେଇ ବାବୁ.। ଯେଉଁ ଗୀତଟିକୁ ଗାଇଥିଲେ ଅକ୍ଷୟ ମହାନ୍ତି ଓ ଗୀତା ପଟ୍ଟନାୟକ । ‘ଅସ୍ତରାଗ’ ଚଳଚ୍ଚିତ୍ର ପାଇଁ ସେ ଲେଖିଥିବା ‘ସାଥିରେ ସାଥିରେ ଜୀବନ ସାଗରେ’ ଗୀତକୁ ଅନେକ ଦିନ ଗୁଣୁଗୁଣାଉ ଥିଲେ ଯୁବପୀଢ଼ି । ଏହି ଗୂୀତଟିକୁ ଗାଇଥିଲେ ପ୍ରଣବ ପଟ୍ଟନାୟକ । ଏହାସହ ସେ ‘ମୁଁ ତୁମେ ଓ ସେ’, ‘ଶ୍ରୀ ଜଗନ୍ନାଥ’ ଓ ‘ଜୟ ଜଗନ୍ନାଥ’ ପାଇଁ ମଧ୍ୟ ଗୀତ ରଚନା କରିଥିଲେ ।
ବିନୋଦିନୀ ଦେବୀ ଅନେକ ଶିଶୁ ଗୀତ ମଧ୍ୟ ଲେଖିଛନ୍ତି । ତାଙ୍କ ପ୍ରକାଶିତ ଶିଶୁଗୀତି ସଂକଳନ ହେଉଛି ‘ଖୋକାଟିଏ ଖୋକିଟିଏ’। ୧୯୯୬ ମସିହାରେ ‘ଅମୃତା’ ନାମକ ଭକ୍ତିଗୀତ ସଂକଳନ ପ୍ରକାଶ ପାଇଥିଲା । ସେହିଭଳି ୧୯୯୯ ମସିହାରେ
ଶିଶୁଗୀତି ସଂକଳନ ‘ଟିକି ଟିକି ନାଲି କାଇଁଚ’ଓ ୨୦୦୦ ମସିହାରେ ଆଧୁନିକ ଗୀତ ସଂକଳନ ‘ଏଇ କଳା ମୋର କଳଙ୍କ’ ତାଙ୍କୁ ବେଶ୍ ପରିଚିତ କରାଇଥିଲା।
୧୯୩୭ ମସିହାରେ କଟକ ଜିଲ୍ଲା ତିଗିରିଆରେ ଜନ୍ମ ଗ୍ରହଣ କରିଥିବା ବିନୋଦିନୀ ଦେବୀପୁରୀ ଜିଲ୍ଲା ଡେଲାଙ୍ଗ ସୁଜନପୁର ଗାଁରେ ବିବାହ କରିଥିଲେ। ଆଜି ତାଙ୍କର ଦେହାନ୍ତ ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇ ଦେଇଛି । ତାଙ୍କ ଦେହାନ୍ତ ଖବର ଶୁଣି ଓଲିଉଡର ସମସ୍ତ କଳାକାର ଦୁଃଖରେ ଭାଙ୍ଗି ପଡିଛନ୍ତି । ଆଜି ଆଉ ଏ ଦୁନିଆରେ ନାହାନ୍ତି ସତ ହେଲେ ସେ ଲେଖିଥିବା ଗୀତ ଆଜି ବି ବହୁ ଲୋକଙ୍କ ହୃଦୟରେ ରାଜ କରୁଛି । ଏବେ ବି ତାଙ୍କ ଗୀତକୁ ଅନେକ ଗୁଣୁଗୁଣାଉଛନ୍ତି । ସେ ଚିରନିଦ୍ରାରେ ଶୋଇଯାଇଛନ୍ତି ସତ, ହେଲେ ତାଙ୍କ ଗୀତ କିନ୍ତୁ ତାଙ୍କୁ ଅମର କରି ରଖିବ ସବୁଦିନ ପାଇଁ ।