ଓଡ଼ିଶା 365 (ବ୍ୟୁରୋ): ଶାରଦୀୟ ଦୁର୍ଗା ଉତ୍ସବ ଅବସରରେ ଆଜିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ନୀତି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତ ଗୁଣ୍ଡିଚାରେ ମା ମହାଲକ୍ଷ୍ମୀ ସ୍ଵରୁପା ମା ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିବେ। ପବିତ୍ର ରଥଯାତ୍ରା ସମୟରେ ମା ଲକ୍ଷ୍ମୀଙ୍କୁ ମହାପ୍ରଭୁ ଘୋଷଯାତ୍ରାରେ ନେଇନଥିବାରୁ ନୀଳାଦ୍ରି ବିଜେ ସମୟରେ ଅଭିମାନିନୀ ମା ଲକ୍ଷ୍ମୀଙ୍କୁ ଗୁପ୍ତ ଗୁଣ୍ଡିଚାରେ ଯିବା ପାଇଁ ପ୍ରତିଶୃତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ। ତେବେ ସେହି ପ୍ରତିଶୃତି ରକ୍ଷାକରି ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁପ୍ତ ଗୁଣ୍ଡିଚାରେ ମା ମହାଲକ୍ଷ୍ମୀ ସ୍ଵରୁପା ମା ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିବେ।
ଶ୍ରୀମନ୍ଦିର ପରମ୍ପରା ମୁତାବକ ଦୁର୍ଗା ମାଧବ ବଡ଼ଦେଉଳରୁ ବାହାରି ନାରାୟଣୀ ମନ୍ଦିରକୁ ଷୋଳପୂଜା ସମୟରେ ଶେଷ ଆଠଦିନ ଏକ ରଥାକୃତି ବିମାନରେ ଯିବା ସହ ମାଣ୍ଡୁଅ ଭୋଗ ଖାଇବେ। ଆଠଦିନ ମହାପ୍ରଭୁ ରଥାକୃତି ବିମାନରେ ଶ୍ରୀମନ୍ଦିରରୁ ଆସିଥିବା ବେଳେ ସନ୍ଧ୍ୟାଧୂପ ପରେ ଏକ ପାଲିଙ୍କିରେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବେ ।