ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏୟାର ଇଣ୍ଡିଆ ଏକ ବଡ ନିଷ୍ପତ୍ତି ନେଇଛି। ବିମାନ କମ୍ପାନୀ ଏୟାର ଇଣ୍ଡିଆ ଅକ୍ଟୋବର ୧୮ ପର୍ୟ୍ୟନ୍ତ ତେଲ ଅଭିବକୁ ସମସ୍ତ ବିମାନ ବାତିଲ କରିଛି। ଏୟାର ଇଣ୍ଡିଆର ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ କ୍ୟାରିଅର ଆବଶ୍ୟକତା ଅନୁଯାୟୀ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଏହା ଚାର୍ଟାର୍ଡ ବିମାନ ଚଳାଚଳ କରିବ।
ଏହାପୂର୍ବରୁ ଏୟାର ଇଣ୍ଡିଆ ଇସ୍ରାଏଲର ଅର୍ଥନୈତିକ ହବ ତେଲ ଅଭିବରୁ ଅକ୍ଟୋବର ୧୪ ପର୍ୟ୍ୟନ୍ତ ବିମାନ ଚଳାଚଳ ସ୍ଥଗିତ ରଖିଥିଲା। ସୂଚନାଯୋଗ୍ୟ ଯେ ସାଧାରଣତଃ ଏୟାର ଇଣ୍ଡିଆ ଜାତୀୟ ରାଜଧାନୀ ନୂଆଦିଲ୍ଲୀରୁ ତେଲ ଅଭିବକୁ ସପ୍ତାହରେ ପାଞ୍ଚଟି ବିମାନ ଚଳାଚଳ କରିଥାଏ। ଏହି ସେବା ସୋମବାର, ମଙ୍ଗଳବାର, ଗୁରୁବାର, ଶନିବାର ଏବଂ ରବିବାରରେ ଚାଲିଥାଏ । ଏୟାରଲାଇନ୍ସ ମଧ୍ୟ ଅପରେସନ୍ ଅଜୟ ଅଧୀନରେ ଦୁଇଟି ବିମାନ ଚଳାଚଳ କରିଛି, ଇସ୍ରାଏଲରୁ ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ଆରମ୍ଭ କରିଛି ।
ଅପରେସନ୍ ଅଜୟ ଅଧୀନରେ ଏପର୍ୟ୍ୟନ୍ତ ୪୦୦ ରୁ ଅଧିକ ଭାରତୀୟ ଇସ୍ରାଏଲରୁ ନିଜ ଦେଶକୁ ଫେରିଛନ୍ତି। ଶୁକ୍ରବାର ଦିନ ୨୩୫ ଭାରତୀୟ ନାଗରିକଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଦିଲ୍ଲୀରେ ପହଞ୍ଚିଛି। ଏହି ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ରାଜକୁମାର ରଂଜନ ସିଂ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ।