ଓଡ଼ିଶା 365 (ବ୍ୟୁରୋ) : ଯୁଦ୍ଧରେ ଧ୍ୱସଂର ଲୀଳା ଦେଖୁଛି ସାରାବିଶ୍ୱ । ଭୟଙ୍କର ବୋମା ମାଡ ସାଙ୍ଗକୁ ଘନଘନ ରକେର୍ଟ ମାଡରେ ଇସ୍ରାଏଲ ଗାଜାର ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ହମାସ ଆତଙ୍କବାଦୀଙ୍କ ଆକ୍ରମଣର ପ୍ରତିଶୋଧ ନେଉଛି ଇସ୍ରାଏଲ । ଆଜିଠାରୁ ଗାଜା ଭିତରେ ପ୍ରବେଶ କରି ହମାସ ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ବଂସ କରୁଛି । ୪ଲକ୍ଷ ଲୋକ ଗାଜା ଛାଡିବାକୁ ସୀମାରେ ଯାଇ ପହଁଚିଛନ୍ତି । ହାମାସ ଆତଙ୍କବାଦୀମାନେ ଟନେଲରେ ଲୁଚି ରହିଛନ୍ତି । ସାଧାରଣ ଲୋକଙ୍କୁ ଢ଼ାଲ କରୁଛନ୍ତି । ଏଥିପାଇଁ ଲୋକଙ୍କୁ ଗାଜା ଛାଡି ଚାଲିଯିବା ପାଇଁ ଚେତାବନୀ ଦେଇଛି ଇସ୍ରାଏଲ ସେନା । ଯୁଦ୍ଧର ଲୁଚକାଳି ଭିତରେ ଅଷ୍ଟମ ଦିନରେ ପହଞ୍ଚିଛି ଇସ୍ରାଏଲ ଓ ହମାସ ଯୁଦ୍ଧ । ୫ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ମଧ୍ୟ ନିଖୋଜ ଅଛନ୍ତି। ଇସ୍ରାଏଲ ସେନା ଗାଜାରେ ପ୍ରବେଶ କରି ଘନଘନ ଆକ୍ରମଣ ଜାରି ରଖିବା ସହ ହମାସର ବଡ଼ ବଡ଼ ଠିକଣାକୁ ଖୋଜି ଖୋଜି ଧ୍ୱଂସ କରୁଛି ।
ହମାସ୍ ଉପରେ ଭାରି ପଡ଼ୁଛି ଇସ୍ରାଏଲ୍ ସେନା । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଆମେ ହମାସକୁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶାଇ ଦେବୁ । ଏହି ଯୁଦ୍ଧରେ ଇସ୍ରାଏଲ ପଛକୁ ହଟିବ ନାହିଁ, ଯୁଦ୍ଧ ହମାସ ଆରମ୍ଭ କରିଛି, କିନ୍ତୁ ଶେଷ ଆମେ କରିବୁ କହି ହମାସକୁ ଚେତାବନୀ ଦେଇଛନ୍ତି ।ଯୁଦ୍ଧ ଭିତରେ ଇସ୍ରାଏଲର ଶକ୍ତି ବଢିଛି। ଦେଶର ସେନାରେ ଜନସାଧାରଣ ସାମିଲ ହୋଇ ହମାସ ବିପକ୍ଷରେ ଲଢେଇ ଜାରି ରଖିଛନ୍ତି। ଅକ୍ଟୋବର ୧୪ରୁ ଗାଜାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯିବ କହିଛି ଇସ୍ରାଏଲ। ହମାସ ଆତଙ୍କବାଦୀମାନେ ଯେଉଁଭଳି ଆକ୍ରମଣ,ହତ୍ୟା କରିଛନ୍ତି ତାକୁ ସାରା ବିଶ୍ୱ ନିନ୍ଦା କରିଛି। ଉତ୍ତର ଗାଜାରେ ରହୁଥିବା ଲୋକମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କ ଘର ଏବଂ ଅଞ୍ଚଳ ଛାଡ଼ି ଦକ୍ଷିଣ ଗାଜାକୁ ଚାଲିଯିବାପାଇଁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ। ଇସ୍ରାଏଲ-ଗାଜା ସୀମାରେ ୧୫୦୦ ହମାସ ଆତଙ୍କବାଦୀଙ୍କ ଶବ ମିଳିଥିଲା ଦାବି କରିଛି ଇସ୍ରାଏଲ । କେବଳ ଗାଜାରେ ମୃତ୍ୟୁସଂଖ୍ୟା ୧୮୦୦ରେ ପହଞ୍ଚିଛି ଏବଂ ଏଥିରେ ୫୮୩ ଜଣ ଶିଶୁ ରହିଥିବା କହିଛନ୍ତି ଗାଜା କର୍ତ୍ତୃପକ୍ଷ ।
ମୃତକଙ୍କ ମଧ୍ୟରେ ୩୫୧ ମହିଳା ଏବଂ ୭ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଫଳରେ ଭୁଶୁଡ଼ି ପଡ଼ିଛି ଗାଜାର ସ୍ୱାସ୍ଥ୍ୟ ବ୍ୟବସ୍ଥା । ଇସ୍ରାଏଲକୁ ଆମେରିକା,ଇଂଲଣ୍ଡ,ଫ୍ରାନ୍ସ୍,ସମର୍ଥନ କରୁଥିବାବେଳେ ପାକିସ୍ତାନ,ତୁର୍କୀ,ଇରାନ ଥୋମାସକୁ ସମର୍ଥନ କରୁଛନ୍ତି। ଦିନକୁ ଦିନ ଆତଙ୍କବାଦର ପ୍ରଭାବ ବଢିବା ସହ ତାହା ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି ଓ ବିଶ୍ୱ ସାମ୍ମନାରେ ପ୍ରଶ୍ନବାସୀ ହୋଇ ଛିଡା ହୋଇଛି । ଆତଙ୍କବାଦୀ ସବୁ କ୍ଷେତ୍ର ହେଉଛି ମାନବଜାତିର ବିରୋଧୀ । ଏବେ ଶାନ୍ତି ଓ ଭାଇଚାରାର ସମୟ। ବିଶ୍ୱ ମାନବତା ଆଧାରରେ ବିଶ୍ୱବାସୀ ଏକାଠି ଆଗକୁ ବଢିଲେ ଆତଙ୍କବାଦର ବିଲୋପ ଘଟିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ୟପଟେ ଯୁଦ୍ଧ ବନ୍ଦ ପାଇଁ ହମାସ ଚାପ ପକାଉଥିବାବେଳେ ଇସ୍ରାଏଲ କହିଛି ଯୁଦ୍ଧ ବନ୍ଦ ହେବ କି ନାହିଁ ପରେ ଜଣାପଡିବ, କିନ୍ତୁ ପ୍ରଥମେ ବନ୍ଦୀଥିବା ଲୋକଙ୍କୁ ହମାସ ମୁକ୍ତ କରୁବୋଲି କହିଛି ଇସ୍ରାଏଲ ।