ଓଡ଼ିଶା 365 (ବ୍ୟୁରୋ) : ମହାଳୟା ଅମାବାସ୍ୟା ହେଉଛି ହିନ୍ଦୁ ଧର୍ମର ଏକ ନିଆରା ପର୍ବ। ଏହି ଦିନରେ ଘରର ପିତୃପୁରୁଷଙ୍କୁ ମନେପକାଯାଇ ପିଣ୍ଡଦାନ କରାଯାଇଥାଏ । ଏହି ପିଣ୍ଡଦାନକୁ ମହାଳୟା ଶ୍ରାଦ୍ଧ, ପାର୍ବଣ ଶ୍ରାଦ୍ଧ ବା ମଉଳା ଶ୍ରାଦ୍ଧ ବୋଲି କୁହାଯାଇଥାଏ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମହାଳୟା ଅମାବାସ୍ୟାର ଅନେକ ମହତ୍ତ୍ୱ ରହିଛି । କୁହାଯାଏ ଯେଉଁ ବ୍ୟକ୍ତିଙ୍କୁ ପିତୃ-ପୁରୁଷଙ୍କ ମୃତ୍ୟୁର ତାରିଖ ଜଣା ନଥାଏ ସେମାନେ ମହାଳୟା ଅମାବାସ୍ୟାରେ ଶ୍ରାଦ୍ଧ ଦେଲେ ପିତୃପୁରୁଷ ପାଣି ପାଇଥାନ୍ତି । ଖାଲି ସେତିକି ନୁହେଁ ଏହି ଦିନ ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧାଭାବ ଦେଖାଇବା ଉଚିତ ।
କିମ୍ବଦନ୍ତୀ ଅନୁସାରେ, ଦାନବୀର କର୍ଣ୍ଣଙ୍କୁ ସ୍ୱର୍ଗପୁରରେ ପୁରସ୍କାର ଭାବେ ବହୁତ ସୁନା ରୂପା ଏବଂ ଅଳଙ୍କାର ମିଳିଥିଲା । ମାତ୍ର ତାଙ୍କୁ ଖାଦ୍ୟ ଦିଆଯାଇ ନ ଥିଲା । ଯାହାର ମୁଖ୍ୟ କାରଣ ଥିଲା ସେ ତାଙ୍କ ଜୀବନକାଳ ମଧ୍ୟରେ କେବେ ବି କାହାକୁ ଅନ୍ନଦାନ କରି ନ ଥିଲେ । ଯମରାଜଙ୍କୁ ଅନୁରୋଧ କରି କର୍ଣ୍ଣ ୧୪ ଦିନ ପାଇଁ ମର୍ତ୍ତ୍ୟପୁରକୁ ଆସି ବ୍ରାହ୍ମଣ ଓ ଗରିବମାନଙ୍କୁ ଅନ୍ନଦାନ କରିଥିଲେ । ସେ ଯମପୁର ଫେରିବା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ ବିତାଇଥିବା ସେହି ଚଉଦ ଦିନ ଥିଲା “ପିତୃପକ୍ଷ” ।
ପିତୃପକ୍ଷ ସମୟରେ ପିତୃଲୋକରୁ ପିତୃ-ପୁରୁଷ ନିଜର ପ୍ରିୟଜନମାନଙ୍କ ପାଖକୁ କୌଣସି ନା କୌଣସି ରୂପରେ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି କାରଣରୁ ପିତୃ-ପୁରୁଷଙ୍କୁ ପ୍ରସନ୍ନ କରି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ ଚାହୁଁଥିଲେ ନିଶ୍ଚିତ ପିତୃପକ୍ଷରେ ତର୍ପଣ ବା ଜଳଦାନ କରିବା ଆବଶ୍ୟକ ।