ଓଡ଼ିଶା 365 (ବ୍ୟୁରୋ): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠାରୁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ଆଜି ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଛନ୍ତି। ପ୍ରତ୍ୟେକ ଦିନ ଯଶିପୁର କାଳିଆଣି ଗେଟ୍ ଦେଇ ୩୫ଟି ଗାଡ଼ି ଏବଂ ବାରିପଦା ଲୁଲୁଙ୍ଗ ପଟୁ ୨୫ଟି ଗାଡ଼ିକୁ ପ୍ରବେଶ ଅନୁମତି ରହିଥିବା ବେଳେ ଏହି ୨ ଗେଟ ହେଇ ପର୍ଯ୍ୟଟକ ଆଜି ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଛନ୍ତି।
ପାଗ ଭଲ ରହିଥିବାରୁ ଆଗକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାକୁ ଥିବା ଆକଳନ କରି ଯଶିପୁରର ଜାମୁଆଣି ଗେଟ ଦେଇ ପର୍ଯ୍ୟଟକଙ୍କୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିବାକୁ ଯୋଜନା ରଖିଛି ବନ ବିଭାଗ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯାଇଛି। ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପକ୍ଷରୁ ପର୍ଯ୍ୟଟକ ମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପର୍ଯ୍ୟଟକଙ୍କୁ ଖାଦ୍ୟର ମୂଲ୍ୟ ଦେବାକୁ ପଡ଼ିବ। ପର୍ଯ୍ୟଟକ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଏଥିପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି।