ଓଡ଼ିଶା 365 (ବ୍ୟୁରୋ): ବିଶ୍ୱକପ୍ ୨୦୨୩ର ସବୁଠି ବଡ଼ ମୁକାବିଲା ଭାରତ- ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ବିଶ୍ୱକପର ସବୁଠୁ ବଡ଼ ମ୍ୟାଚ୍ ବୋଲି କୁହାଯାଉଛି । ଏପରିକି ଫାଇନାଲ ଠାରୁ ମଧ୍ୟ ଏହି ମ୍ୟାଚରେ ଅଧିକ କ୍ରେଜ ଦେଖିବାକୁ ମିଳିବ। ବଲିଉଡର ବଡ ତାରକାଙ୍କ ଠୁ ଆରମ୍ଭ କରି ରାଜନେତା,ବିଜନେସ ମ୍ୟାନ ଉପସ୍ଥିତରେ ଲକ୍ଷେ ୩୪ହଜାର ଦର୍ଶକଙ୍କ ସାମ୍ନାରେ ରୋହିତବାହିନୀ-ପାକିସ୍ତାନ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ।ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବଲିଉଡର ଭେଟେରାନ କଣ୍ଠଶିଳ୍ପୀ ସୁଖବିନ୍ଦର ସିଂ, ଅରିଜିତ ସିଂ ଏବଂ ଶଙ୍କର ମହାଦେବନଙ୍କ ସ୍ୱରର ଝୁମିବେ ଦର୍ଶକ ।ଏହି ଐତିହାସିକ ମ୍ୟାଚ୍ରେ ଗୋଲ୍ଡେନ ଟିକେଟ୍ ପାଇଥିବା ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ,ରଜନୀକାନ୍ତ, ମାଷ୍ଟ୍ରର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମ୍ୟାଚରେ ଅଂଶଗ୍ରହଣ କରିବା ସହ ଭାରତୀୟ ଦଳକୁ ଉତ୍ସାହିତ କରିବେ । ଦିନିକିଆ ବିଶ୍ୱକପରେ ଭାରତ-ପାକିସ୍ତାନ ୭ଥର ମୁହାଁମୁହିଁ ହୋଇ ସବୁଥର ବାଜି ମାରିଛି ଭାରତ। ଡେଙ୍ଗୁରୁ ସୁସ୍ଥ ହେବା ପରେ ପାକିସ୍ତାନ ମ୍ୟାଚରେ ମଇଦାନକୁ ଓହ୍ଲାଇବେ ଭାରତୀୟ ଷ୍ଟାର ଓପନର ଶୁଭମନ ଗିଲ୍। ଯାହା ପାକିସ୍ତାନ ଲାଗି ଚିନ୍ତାର କାରଣ ପାଲଟିଛି ।
ସେପଟେ, ସ୍ୱାମୀ ବିରାଟ କୋହଲିଙ୍କୁ ସମର୍ଥନ ଦେବାପାଇଁ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପହଞ୍ଚିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା ।ଏହା ପ୍ରଥମ ମ୍ୟାଚ୍ ହେବ, ଯେଉଁଥିରେ ଅନୁଷ୍କା ଶର୍ମା ଚାଲିଥିବା ବିଶ୍ୱକପରେ ତାଙ୍କ ସ୍ୱାମୀ ତଥା ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ସମର୍ଥନ କରିବେ। ସେହିପରି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସାଜଦେହ ମଧ୍ୟ ତାଙ୍କ ସ୍ୱାମୀଙ୍କ ସହ ଯାତ୍ରା କରିଛନ୍ତି। ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍ ସମୟରେ ସେ ଉଭୟ ଚେନ୍ନାଇ ଏବଂ ଦିଲ୍ଲୀରେ ଉପସ୍ଥିତ ଥିଲେ।
ସେପଟେ ବିରାଟ କୋହଲି ତାଙ୍କ ଇନଷ୍ଟାଗ୍ରାମରେ ଫ୍ୟାନ୍ସମାନଙ୍କୁ ଏକ ଅନୁରୋଧ କରିଛନ୍ତି । ସେ ଲେଖିଛନ୍ତି ଯେ,‘‘ଯେହେତୁ ଆମେ ବିଶ୍ୱକପ୍ର ନିକଟତର ହେଉଛୁ,ମୁଁ ମୋର ସମସ୍ତ ବନ୍ଧୁମାନଙ୍କୁ ନମ୍ର ଭାବରେ କହିବାକୁ ଚାହେଁ ଯେ ସମଗ୍ର ଟୁର୍ଣ୍ଣାମେଣ୍ଟ ମଧ୍ୟରେ ମୋତେ ଟିକେଟ ମାଗିବେ ନାହିଁ। ଦୟାକରି ଆପଣ ଘରୁ ଏହି ମ୍ୟାଚକୁ ମନଭରି ଉପଭୋଗ କରନ୍ତୁ।’’