ଓଡ଼ିଶା 365 (ବ୍ୟୁରୋ): ବିନା ସ୍ୱୟଂଶାସିତ ମାନ୍ୟତାରେ ଦୀର୍ଘଦିନ ଧରି ଚାଲିଛି ରାଜ୍ୟର ପ୍ରମୁଖ ତଥା ଜଣାଶୁଣା କଲେଜ ବିଜେବି କଲେଜ। ଗତ ୨୦୨୦ ଡିସେମ୍ବର ୩୧ରୁ ସ୍ବୟଂଶାସିତ ମାନ୍ୟତା ସରିଥିବା ସତ୍ତ୍ୱେ ବି ଏହାକୁ ବୃଦ୍ଧିକରିବା ଦିଗରେ କଲେଜ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ସାମ୍ନାକୁ ଆସିଛି। ଏନେଇ ଉଦବେଗ ପ୍ରକାଶ କରିବା ସହ କାହିଁକି ଏ ଦିଗରେ ପଦକ୍ଷେପ ନେବାରେ ଅବହେଳା କରାଯାଉଛି ସେନେଇ ସ୍ପଷ୍ଟୀକରଣ ମାଗିଛି ଉଚ୍ଚଶିକ୍ଷା ବିଭାଗ । କେବଳ ସ୍ୱୟଂଶାସିତ ମାନ୍ୟତା ନୁହେଁ ୩ଟି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ ବିଜେବି କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍ଏଚ୍ଇସି)ର ସୂଚନା ଆଧାରରେ ଉଚ୍ଚଶିକ୍ଷା ବିଭାଗଏହି ନିର୍ଦେଶ ଦେଇଛି।
ଓଏସ୍ଏଚ୍ଇସିର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ଚିଠି ଅନୁସାରେ, ଗତ ୨୦୨୦ ଡିସେମ୍ବର ୩୧ରୁ କଲେଜର ସ୍ୱୟଂଶାସିତ ମାନ୍ୟତା ସରିଲାଣି। ଏହାକୁ ବୃଦ୍ଧି କରିବା ପାଇଁ କଲେଜ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ। ସେହିଭଳି ବାରମ୍ବାର ଓଏସ୍ଏଚ୍ଇସିର ଯୋଗାଯୋଗ ପରେ ବି ନାକ୍ ରିଆକ୍ରିଡେସନ୍ ପଡ଼ି ରହିଛି। କଲେଜର ଗଭର୍ଣ୍ଣିଂ ବଡିର ପୁନର୍ଗଠନ ପାଇଁ କୌଣସି ସାନି ପ୍ରସ୍ତାବ ଆସିନାହିଁ। ଏସବୁଥିରେ କାହିଁକି ଅବହେଳା କରାଯାଇଛି ତା’ର ସ୍ପଷ୍ଟୀକରଣ ଦେବାକୁ ଉଚ୍ଚଶିକ୍ଷା ବିଭାଗ ବିଜେବି କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି। ଏପଟେ ଏ ସଂକ୍ରାନ୍ତରେ ବିଜେବି କଲେଜ ଅଧ୍ୟକ୍ଷ ଜିଏମ୍ ଖାନ୍ କହିଛନ୍ତି ଯେ, ସମସ୍ତ ବିଷୟରେ ଖୁବ୍ଶୀଘ୍ର ଆମେ ଉତ୍ତର ରଖିବୁ। କିଛି ବନ୍ଦ ଅବସ୍ଥାରେ ନାହିଁ। ସମସ୍ତ ପ୍ରକ୍ରିୟା ଜାରି ରହିଛି। ଏହା ଲମ୍ବା ପ୍ରକ୍ରିୟା। କୋଭିଡ୍ ପାଇଁ ଏଥିରେ ବିଳମ୍ବ ହୋଇଯାଇଥିଲା।