ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ-ପାଲେଷ୍ଟାଇନ୍ ମଧ୍ୟରେ ୮ ଦିନ ହେବ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ଇସ୍ରାଏରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଆରମ୍ଭ କରିଛି ‘ଅପରେସନ ଅଜୟ’ । ଗତକାଲି ଇସ୍ରାଏଲରୁ ପ୍ରଥମ ବିମାନ ଭାରତରେ ପହଞ୍ଚିଥିବା ବେଳେ ଆଜି ପୁଣି ‘ଅପରେସନ ଅଜୟ’ ମାଧ୍ୟମରେ ଦେଶକୁ ଫେରିଛନ୍ତି ୨୩୫ ଭାରତୀୟ । ସ୍ୱତନ୍ତ୍ର ବିମାନ ଯୋଗେ ତେଲ ଅବିବ୍ରୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଂଚିଛନ୍ତି ଇସ୍ରାଏଲରେ ରହୁଥିବା ଭାରତୀୟ ।
ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜକୁମାର ରଂଜନ ସିଂ । ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଭିତରେ ୧୮ହଜାର ଭାରତୀୟ ଫସି ରହିଛନ୍ତି । କେନ୍ଦ୍ର ସରକାରଙ୍କ ‘ଅପରେସନ୍ ଅଜୟ’ ଜରିଆରେ ସବୁ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ଚାଲିଛି ଉଦ୍ୟମ । ଦୁଇ ଦିନରେ ଦୁଇଟି ପର୍ୟ୍ୟାୟରେ ୪୪୭ଜଣ ଭାରତୀୟ ଫେରିଛନ୍ତି । ଶୁକ୍ରବାର ରାତିରେ ୨୩୫ ଜଣ ଭାରତୀୟ ତେଲ ଅବିବ୍ ବିମାନ ବନ୍ଦରରୁ ବାହାରିଥିଲେ ।
ଆଜି ସକାଳେ ସମସ୍ତେ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଂଚିଛନ୍ତି । ବିମାନରେ ପହଂଚିବା ପରେ ‘ବନ୍ଦେ ମାତରମ’ ସ୍ଲୋଗାନ ଦେଇଥିଲେ ଭରତୀୟ । ଯୁଦ୍ଧର ବିଭୀଷିକା ଭିତରେ ସ୍ୱଦେଶ ଫେରିବାରୁ ଆଶ୍ୱସ୍ତ ହୋଇଛନ୍ତି । ଦିଲ୍ଲୀରେ ପହଂଚିବା ପରେ ଭାରତୀୟମାନେ ଯୁଦ୍ଧଭୂମିର ଅନୁଭୂତି ବଖାଣିଛନ୍ତି । ଯୁଦ୍ଧ ଭିତରେ କେମିତି ଓ କେଉଁଠି ରହୁଥିଲେ, ସେସବୁ କହିଛନ୍ତି । ସାଇରନ ବାଜିଲେ କିପରି ବଙ୍କର ଭିତରକୁ ଯାଇ ଜୀବନ ବଂଚାଇବାକୁ ପଡ଼ୁଥିଲା ତାହା ବର୍ଣ୍ଣନା କରିଛନ୍ତି ।