ଓଡ଼ିଶା 365 (ବ୍ୟୁରୋ): ବିଶ୍ୱକପ୍ ୨୦୨୩ର ସବୁଠାରୁ ବଡ଼ ମୁକାବିଲା ଭାରତ- ପାକିସ୍ତାନ ମ୍ୟାଚ୍ । ଉକ୍ତ ମ୍ୟାଚ୍ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଫାଇନାଲ ଠାରୁ ଅଧିକ କ୍ରେଜ ଏହି ମ୍ୟାଚରେ ଦେଖିବାକୁ ମିଳିବ । ବଲିଉଡ ତାରକାଙ୍କ ଠାରୁ ଆରମ୍ଭ କରି ରାଜନେତା, ବିଜନେସ ମ୍ୟାନଙ୍କ ସମେତ ୩୪ହଜାର ଦର୍ଶକ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାର ସୁବିଧା ରହିଛି । ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବଲିଉଡର ଭେଟେରାନ କଣ୍ଠଶିଳ୍ପୀ ସୁଖବିନ୍ଦର ସିଂ, ଅରିଜିତ ସିଂ ଏବଂ ଶଙ୍କର ମହାଦେବନଙ୍କ ସ୍ୱରରେ ଝୁମିବେ ଦର୍ଶକ । ଏହି ମ୍ୟାଚ୍ରେ ଗୋଲ୍ଡେନ ଟିକେଟ୍ ପାଇଥିବା ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ, ରଜନୀକାନ୍ତ, ମାଷ୍ଟ୍ରର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମ୍ୟାଚରେ ଅଂଶଗ୍ରହଣ କରିବା ସହ ଭାରତୀୟ ଦଳକୁ ଉତ୍ସାହିତ କରିବେ ।
ଦିନିକିଆ ବିଶ୍ୱକପରେ ଭାରତ-ପାକିସ୍ତାନ ୭ଥର ମୁହାଁମୁହିଁ ହୋଇ ସବୁଥର ବାଜି ମାରିଛି ଭାରତ । ଡେଙ୍ଗୁରୁ ସୁସ୍ଥ ହେବା ପରେ ପାକିସ୍ତାନ ମ୍ୟାଚରେ ମଇଦାନକୁ ଓହ୍ଲାଇବେ ଭାରତୀୟ ଷ୍ଟାର ଓପନର ଶୁଭମନ ଗିଲ୍ ।
ଯାହା ପାକିସ୍ତାନ ଲାଗି ଚିନ୍ତାର କାରଣ ପାଲଟି ପାରେ, ଅନ୍ୟପଟେ ରେକର୍ଡ ମ୍ୟାନ୍ ରୋହିତ୍ ଶର୍ମା ଆଫଗାନିସ୍ଥାନ ବିପକ୍ଷରେ ଶତକମାରି ଜବରଦସ୍ତ ଫର୍ମରେ ରହିଥିବାବେଳେ ରନ୍ ମେସିନ ବିରାଟ କୋହଲି ଓ ଲୋକେଶ ରାହୁଲ ଭାରତୀୟ ଦଳ ପାଇଁ ସାଜିଛନ୍ତି ଟ୍ରମ୍ଫକାର୍ଡ । ଅହମଦାବାଦ ବୁମରାଙ୍କ ହୋମ ସିଟି ହୋଇଥିବାବେଳେ ପ୍ରଥମଥର ପାଇଁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ପାଇଁ ଦିନିକିଆ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ବୁମରା। ଆଫଗାନିସ୍ତାନ ମ୍ୟାଚ୍ରେ ୧୦ ଓଭର୍ରେ ୩୯ ରନ୍ ଦେଇ ୪ ୱିକେଟ୍ ନେଇଥିଲେ ବୁମରା ।
ପାକିସ୍ତାନ–ଭାରତ ମ୍ୟାଚ୍ ଲାଗି ନରେନ୍ଦ୍ର ମୋଦି ଷ୍ଟାଡିୟମ ସମେତ ସମଗ୍ର ସହରରେ ଏନଏସଜି କମାଣ୍ଡୋଙ୍କ ସମେତ୧୧ହଜାର ସୁରକ୍ଷା କର୍ମଚାରୀଙ୍କୁ ନିୟୋଜିତ କରାଯିବା ସହ ସୁରକ୍ଷା ବ୍ୟାବସ୍ଥା କଡାକଡି କରାଯାଇଛି। ଘରୋଇ ପରିବେଶରେ ଭାରତ ପୁଣି ଥରେ କ୍ରିକେଟ୍ ଫ୍ୟାନଙ୍କ ଫେଭରାଇଟି ଦଳ ହୋଇଛି । ପାକିସ୍ତାନ ବିଶ୍ୱକପ୍ ୨୦୨୩ରେ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବାବେଳେ ରୋହିତ୍ ବାହିନୀ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଓ ଦ୍ୱିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଆଜିର ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ଭାରତ ଦଖଲ କରିବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।