ଓଡ଼ିଶା 365 (ବ୍ୟୁରୋ) : ଶନିବାର ଅହମଦାବାଦରେ ଭାରତ ପାକିସ୍ତାନ ମଧ୍ୟରେ ଖେଳାଯିବ ହାଇଭୋଲଟେଜ ମ୍ୟାଚ୍ । ଏହି ମ୍ୟାଚ୍ ବିଶ୍ୱକପର ସବୁଠୁ ବଡ଼ ମ୍ୟାଚ ବୋଲି କୁହାଯାଉଛି । ଏପରିକି ଫାଇନାଲ ଠାରୁ ମଧ୍ୟ ଅଧିକ କ୍ରେଜ ଏ ମ୍ୟାଚରେ ଦେଖିବାକୁ ମିଳିବ। ବଲିଉଡର ବଡ ତାରକାଙ୍କ ସମେତ ଏବଂ ରାଜନେତା ଉପସ୍ଥିତ ରହିବେ। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଲକ୍ଷେ ୩୪ହଜାର ଦର୍ଶକଙ୍କ ସାମ୍ନାରେ ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ ।
ଦିନିକିଆ ବିଶ୍ୱକପରେ ୭ଥର ଭାରତ-ପାକ୍ ମୁହାଁମୁହିଁ ହୋଇଥିବାବେଳେ ସବୁଥର ବାଜି ମାରିଛି ଭାରତ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧୪ ଅକ୍ଟୋବରରେ ମ୍ୟାଚ ଲାଗି ଉଚ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଯେଉଁଥିଲାଗି ଷ୍ଟାଡିୟମରେ ୧୧ହଜାର ସୁରକ୍ଷା କର୍ମଚାରୀ ଉପସ୍ଥିତ ରହିବେ ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପୂର୍ବରୁ ଆସୁଥିବା ଧମକକୁ ଦୃଷ୍ଟିରେ ରଖି ଅହମ୍ମଦାବାଦର ସୁରକ୍ଷା ବ୍ୟାବସ୍ଥାକୁ କଡାକଡି କରାଯାଇଛି। ଏହା ସହ ଷ୍ଟାଡିୟମ ସମେତ ସମଗ୍ର ସହରରେ ଏନଏସଜି କମାଣ୍ଡୋ ନିୟୋଜିତ କରାଯାଇଛି । ଏଭଳି ପରିସ୍ଥିତିରେ ଗୁଜୁରାଟ ପ୍ରଶାସନ ଏବଂ ବିସିସିଆଇର ଏହି ମ୍ୟାଚକୁ ସଫଳତାର ସହ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି। ପାକିସ୍ତାନ ବିଶ୍ୱକପ୍ ୨୦୨୩ରେ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବାବେଳେ ରୋହିତ୍ ବାହିନୀ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଓ ଦ୍ୱିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରିଛି।