ଓଡ଼ିଶା 365 (ବ୍ୟୁରୋ): ସାଧାରଣ ନିର୍ବାଚନ ଆହୁରି ଅନେକ ଦିନ ବାକି ଥିବା ବେଳେ ବାଲେଶ୍ବର ଜିଲ୍ଲା ବସ୍ତା ବିଧାନସଭା ଆସନରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା ଲଢିବା ନେଇ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଘୋଷଣା କରିବା ପରେ ବସ୍ତା ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବସରରେ ବୁଧବାର ଅନୁଷ୍ଠିତ ସଭାମଞ୍ଚରୁ ଅଶ୍ୱିନୀ ଏ କଥା ଘୋଷଣା କରିବା ପରେ ବସ୍ତା ରାଜନୀତି ଏବେ ଦୁଇଫାଳ ହୋଇଛି। ଗତ ୧୧ ତାରିଖରେ ବସ୍ତାରେ ବିଜେଡି ପକ୍ଷରୁ ଆୟୋଜିତ ଜନସମ୍ପର୍କ ପଦଯାତ୍ରା ସମାବେଶରେ ବ୍ଲକ୍ ବିଜେଡି ସଭାପତି ଅନୀଲ୍ କୁମାର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଦେବ, ଖୋର୍ଦ୍ଧା ପ୍ରଭାରୀ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ରାଜ୍ୟ ମହିଳା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ସୁବାସିନୀ ଜେନା ପ୍ରମୁଖ ଉପସ୍ଥିତ ଥିବାବେଳେ ନିଜ ବାସଭବନଠାରୁ ମାତ୍ର ୨୦୦ ମିଟର ଦୂରରେ ହୋଇଥିବା ସମାବେଶରେ ବର୍ତ୍ତମାନର ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଡକାଯାଇନଥିଲା। ଏଣେ ସମାବେଶରେ ନିଜର ବକ୍ତବ୍ୟ ଦେଉ ଦେଇ ଜିଲ୍ଲା ସଭାପତି ମନ୍ତ୍ରୀ ଅଶ୍ବିନୀ ପାତ୍ର ବାଲିଆପାଳ ମାଟି ଓ ବସ୍ତା ନିର୍ବାଚନମଣ୍ଡଳୀର ଝିଅ ସୁବାସିନୀ ଜେନା ମହୋଦୟା ଆଗାମୀ ନିର୍ବାଚନରେ ବସ୍ତା ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେବେ ବୋଲି କହିଥିଲେ।
ସୁବାସିନୀଙ୍କୁ ବସ୍ତାରୁ ଦଳୀୟ ପ୍ରାର୍ଥୀ ଭାବେ ମନ୍ତ୍ରୀ ଶ୍ରୀ ପାତ୍ର ସଭାମଞ୍ଚରେ ଘୋଷଣା କରିବା ପରେ ବୈଠକରେ ଉପସ୍ଥିତ ଥିବା କର୍ମୀ ଓ ନେତାଙ୍କ ମଧ୍ୟରେ ନାନା ଚର୍ଚ୍ଚା ଆଲୋଚନା, ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଧାୟକଙ୍କ ଅନୁପସ୍ଥିତି ନେଇ ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଦେବଙ୍କୁ ପଚରାଯିବାରୁ ବିଧାୟକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ସେ ବୈଠକରେ ଯୋଗ ଦେଇନଥିବା ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ କାର୍ଯ୍ୟକ୍ରମକୁ ମତେ କେହି ଡାକିନଥିବା ଓ ମୋ ସ୍ୱାସ୍ଥ୍ୟ ସମସ୍ୟା ନେଇ ଯଦି ମନ୍ତ୍ରୀ କିଛି କହିଛନ୍ତି, ତାହା ଠିକ୍ ହୋଇଥିବ ବୋଲି ବିଧାୟକ ଶ୍ରୀ ସାହୁ ପ୍ରତିକ୍ରିୟା ରଖିଛନ୍ତି। ସେ ଆହୁରି କହିଛନ୍ତି, ନିର୍ବାଚନ ସମୟ ଆସିଲେ ଦଳର ସଭାପତି ଭାବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥିତ୍ବ ଘୋଷଣା କରନ୍ତି। ନିକଟରେ ସେ ୫-ଟି ସଚିବଙ୍କୁ ମଧ୍ୟ ଭେଟିଥିଲେ। ହେଲେ ସଭାରେ କେମିତି ପ୍ରାର୍ଥୀ ଘୋଷଣା କରାଗଲା, ସେ ବିଷୟରେ କିଛି କହିପାରିବି ନାହିଁ।