ଓଡ଼ିଶା 365 (ବ୍ୟୁରୋ): ଲାଞ୍ଚୁଆ ପବ୍ଲିକ ହେଲ୍ଥ ଅଫିସର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ବାନ୍ଧିଲା ସିବିଆଇ। କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ସିପିଂ ଏଜେଣ୍ଟଙ୍କ ଠାରୁ ଲାଞ୍ଚ ନେବା ବେଳେ ଗତକାଲି ରାଜେନ୍ଦ୍ରଙ୍କୁ ଧରିଥିଲା ତଦନ୍ତକାରୀ ସଂସ୍ଥା। ରାଜେନ୍ଦ୍ରଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଅଧିକ ତନାଘନା ଚଳାଇଥିଲା ସିବିଆଇ ଟିମ୍। ଏହାପରେ ରାଜେନ୍ଦ୍ରଙ୍କ ପାରାଦୀପରେ ଥିବା ଅଫିସ୍ ସମେତ ଜେ.ବି କଲୋନୀରେ ଥିବା କ୍ୱାର୍ଟର୍ସ ଓ ହାଉସିଂ ବୋର୍ଡ କଲୋନୀରେ ଥିବା ଭଡ଼ା ଘରେ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ଦୁଇଟି ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ସହ ବିଛଣା ତଳୁ, ବାଥରୁମରୁ କୋଟିଏ ପାଖାପାଖି ଟଙ୍କା ସହ ବିପୁଳ ପରିମାଣର ଫରେନ କରେନ୍ସି ଜବତ କରିଥିଲା।
ଏହା ବାଆଦେ ବାଲେଶ୍ୱର ଓ କଟକରେ ଥିବା ଘରେ ମଧ୍ୟ ଚଢ଼ାଉ କରି ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଥିଲା ସିବିଆଇ । ଚଢାଉବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ କମ୍ପ୍ୟୁଟର ହାର୍ଡ ଡିସ୍କ ସିବିଆଇ ଜବତ କରିଛି ସିବିଆଇ। ୨୪ ଘଣ୍ଟାର ମାରାଥନ୍ ଜେରା, ରେଡ୍ ଏବଂ ପଚରାଉଚରା ପରେ ଲାଞ୍ଚୁଆ ପବ୍ଲିକ ହେଲ୍ଥ ଅଫିସରଙ୍କୁ ଗିରଫ କରିଛି ସିବିଆଇ। ଏହାସହ ସିବିଆଇ ରାଜେନ୍ଦ୍ରଙ୍କୁ ଭୁବନେଶ୍ୱର ଆଣି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିବା ଜଣାପଡ଼ିଛି।