ଓଡ଼ିଶା 365 (ବ୍ୟୁରୋ) : ବିଶ୍ୱକପ ୨୦୨୩ରେ ଜବରଦସ୍ତ ପ୍ରଦର୍ଶନ ସହ ଦକ୍ଷିଣ ଆଫ୍ରିକାର ଲଗାତର ଦ୍ୱିତୀୟ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ଦଖଲ କରିଛି। ପ୍ରଥମ ମ୍ୟାଚ୍ରେ ଦଳ ଶ୍ରୀଲଙ୍କାକୁ ୧୦୨ ରନରେ ହରାଇଥିଲା। ଦ୍ୱିତୀୟ ମ୍ୟାଚରେ ୫ଥରର ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ୧୩୪ ରନରେ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭର୍ରେ ୭ ୱିକେଟ ହରାଇ ୩୧୧ ରନ କରିଥିଲା।
ତେବେ ଜବାବରେ ଅଷ୍ଟ୍ରେଲିଆ ୪୦.୫ ଓଭର୍ରେ ସମସ୍ତ ୱିକେଟ ହରାଇ କେବଳ ୧୭୭ ରନ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ରବାଡା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଜାନେସନ, କେଶବ ମହାରାଜ ଓ ଶାମସି ୨ଟି ଲେଖାଏ ସଫଳତା ପାଇଛନ୍ତି। ଲୁଙ୍ଗି ଏନଗିଡି ଗୋଟିଏ ୱିକେଟ ପାଇଥିଲେ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଦୁଇ ଓପନର କ୍ବିଣ୍ଟନ ଡି’କକ୍ ଓ ଟେମ୍ବା ବାଭୁମା ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ଭଲ ମୂଳଦୂଆ ପକାଇଥିଲେ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଶତକ ହାସଲ କରିଥିବା ଡି’କକ୍ ଏହି ମ୍ୟାଚରେ ବି ଶତକ ହାସଲ କରିଥିଲେ । କ୍ରମାଗତ ଦୁଇଟି ବିଜୟ ସହ ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ, ଭାରତ ତୃତୀୟ ଓ ପାକିସ୍ତାନ ୪ର୍ଥରେ ରହିଛି ।