ଓଡ଼ିଶା 365 (ବ୍ୟୁରୋ): ୭ ଦିନରେ ପହଞ୍ଚିଲା ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ । ଦିନ ଯେତିକି ଗଡ଼ୁଛି, ଯୁଦ୍ଧ ସେତେ ଭୟଙ୍କର ହେବାରେ ଲାଗିଛି । ଏହାରି ଭିତରେ ସିରିଆର ୨ଟି ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇସ୍ରାଏଲ ଆକ୍ରମଣ କରିଛି। ସିରିଆର ଡାମାସ୍କସ୍ ଏବଂ ଆଲେପ୍ପୋରେ ଥିବା ୨ଟି ପ୍ରମୁଖ ବିମାନବନ୍ଦରରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼ ଇସ୍ରାଏଲ-ହମାସ ଯୁଦ୍ଧକୁ ନୂଆମୋଡ଼ ଦେଇଛି।
ସିରିଆ ରାଷ୍ଟ୍ରାୟତ ଟିଭି ଚ୍ୟାନେଲ୍ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲ ବାୟୁସେନାର୪ଟି ବୋମାବର୍ଷୀ ବିମାନ ଉଭୟ ବିମାନବନ୍ଦର ଉପରେ ଏକକାଳୀନ ଆକ୍ରମଣ କରିଛି। ରିପୋର୍ଟରେ ଏହା କୁହାଯାଇଛି ଯେ ସିରିଆ ବିମାନବନ୍ଦରରେ ଇସ୍ରାଏଲ ବିମାନ ଆକ୍ରମଣ କରି ରନ୍ୱେକୁ ଛାରଖାର କରିଦେଇଛି। ଇସ୍ରାଏଲ ଚ୍ୟାନେଲ ୧୨ ପକ୍ଷରୁ ମଧ୍ୟ ଆକ୍ରମଣର ଭିଡିଓ ଜାରି ହୋଇଛି। ଇସ୍ରାଏଲ୍ ଗାଜାରେ କରୁଥିବା ଅପରାଧ ଉପରୁ ନଜର ହଟାଇବାପାଇଁ ଏଭଳି ଆକ୍ରମଣ କରୁଛି ବୋଲି ସିରିଆ ଦାବି କରିଛି। ରିପୋର୍ଟ ଅନୁଯାୟୀ ଇରାନର ଏକ ବିମାନ ଏହି ସମୟରେ ସିରିଆରେ ପହଞ୍ଚିବାର ଥିବାବେଳେ ଇସ୍ରାଏଲ ଏହି ଆକ୍ରମଣ କରିଛି।