ଓଡ଼ିଶା 365 (ବ୍ୟୁରୋ): ସ୍ୱାଭିମାନ ଅଞ୍ଚଳ ମାଲକାନଗିରିରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଏହି ବସ୍ ଯୋଜନାରେ ପ୍ରତି ପଞ୍ଚାୟତରୁ ବ୍ଲକ୍ ହେଡକ୍ୱାର୍ଟସ ଓ ରାଜଧାନୀକୁ ବି ଚାଲିବ ସରକାରୀ ବସ୍ । ପ୍ରଥମ ଦିନରେ ୩୬ଟି ବସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଲକାନଗିରି ମୋ’ ପାଇଁ ଖୁବ୍ ପ୍ରିୟ । ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ିବ । ଘରେ ଘରେ ଖୁସି ଆଣିବ, ଗାଁ ଗାଁରେ ସମୃଦ୍ଧି ଆଣିବ । ଅର୍ଥନୀତିରେ ଅଭିବୃଦ୍ଧି ଘଟାଇବ । ସାରା ରାଜ୍ୟରେ ହଜାରେରୁ ବସ୍ ଚାଲିବ । ଆସନ୍ତାକାଲିଠୁ ଜିଲ୍ଲାର ସବୁ ବ୍ଲକ ଓ ପଞ୍ଚାୟତ ହେଡକ୍ୱାଟର୍ସକୁ ଗଡ଼ିବ ବସ୍। ଲକ୍ଷ୍ମୀ ବସ୍ ରାଜ୍ୟର ପ୍ରତିଟି ପଞ୍ଚାୟତକୁ ବ୍ଲକ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟ ସହ ସଂଯୋଗ କରିବ । ଏଥିସହ ପ୍ରତି ଜିଲ୍ଲାରୁ ରାଜଧାନୀ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକି ସଂଯୋଗ କରିବ ।
ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲା ପରେ କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ବି ଲକ୍ଷ୍ମୀ ବସ୍ ସେବା ଯୋଗାଇବାକୁ ଯୋଜନା ରହିଛି। ୪୦ ସିଟ୍ ବିଶିଷ୍ଟ ଏହି ବସ୍ ମଧ୍ୟରୁ କିଛି ଶୀତତାପ ନିୟନ୍ତ୍ରୀତ ଥିବା ବେଳେ ଆଉ କିଛି ବସ୍ରେ ଏହି ସୁବିଧା ନ ଥିବା ଜଣାଯାଇଛି। ଏହି ବସ୍ରେ ଜିପିଏସ୍ ସିଷ୍ଟମ କାମ କରିବ । ଫଳରେ ଲୋକେ ନିଜ ମୋବାଇଲରେ ବସ୍କୁ ଟ୍ରାକ୍ କରି ପାରି ଅନାୟସରେ ନିଜ ଅଞ୍ଚଳରୁ ସହରକୁ ଯାତାୟତ କରି ପାରିବେ। ଏହାପରେ କାମ ସାରି ପୁଣି ଥରେ ଲକ୍ଷ୍ମୀ ବସ୍ରେ ନିଜ ଠିକଣାକୁ ଫେରି ବି ପାରିବେ। ତେବେ ମାଲକାନଗିରି ଜିଲ୍ଲାର ବହୁ ପଞ୍ଚାୟତ ଏବେ ବି ଦୁର୍ଗମ ଅଞ୍ଚଳରେ ଥିବା ବେଳେ ସେଠାକୁ ଯାତାୟତର ମାଧ୍ୟମ ନାହିଁ। ଲୋକେ ଅତି ବିପଦସଙ୍କୁଳ ଭାବେ ଉକ୍ତ ସ୍ଥାନକୁ ଯାତାୟତ କରିଥାନ୍ତି। ତେଣୁ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଉକ୍ତ ଅଞ୍ଚଳବାସୀ ଉପକୃତ ହୋଇ ପାରିବେନି ବୋଲି ଆଲୋଚନା ହେଉଛି।