ଓଡ଼ିଶା 365 (ବ୍ୟୁରୋ): ଅକ୍ଷୟ ମହାନ୍ତି। ସଙ୍ଗୀତ ଜଗତର ମଉଡମଣୀ। ଓଡ଼ିଆ ସଙ୍ଗୀତ ସାମ୍ରାଜ୍ୟର ବେତାଜ ବାଦଶାହା। ମାଝୀରେ ହେଉ,ଅବା ହୃଦୟରୁ ଏଇ ଶୂନ୍ୟତାକୁ, ଯାଯାବର ସଙ୍ଗୀତ ଆଜି ବି କୋଟି କୋଟି ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ଘର କରିଛନ୍ତି ସେ। ସେ ଥିଲେ ଏକା ଏକା ଏକଲବ୍ୟ। ସୃଜନର ଯେଉଁ ଧାରାରେ ସେ ପାଦ ଥାପିଥିଲେ ସେଠି ମୁଣ୍ଡ ଟେକିଛି ସଙ୍ଗୀତର ମହାଦ୍ରୁମ। ଅକ୍ଷୟ ଛାଡି ଯାଇଥିବା ରାସ୍ତାକୁ ଅନୁସରଣକରି ଅନେକ ଯୁବପିଢୀ ହୋଇ ପାରିଛନ୍ତି ଆଜି ପ୍ରସିଦ୍ଧ ଗୀତିକାର ।ତାଙ୍କ ସଙ୍ଗୀତର ସୁମଧୁର ସ୍ୱର ଆଜିବି ବି ଗୁଞ୍ଜରିତ ହେଉଛି ପ୍ରତିଟି ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ମନରେ। ତାଙ୍କ ମୁତ୍ୟୁ ନାହିଁ। ସେ ଅମର, ଚିର ସବୁଜ,ଅସୀମ, ଅନନ୍ତ,ଅକ୍ଷୟ,ତାଙ୍କ କ୍ଷୟ ନାହିଁ ସେଇଥି ପାଇଁ ତ ସେ ଅକ୍ଷୟ। ଆଜି ଖୋକା ଭାଇଙ୍କର ଜନ୍ମଦିନ। ୧୯୩୭ ମସିହା ଅକ୍ଟୋବର ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଖୋକା ଭାଇ ଅକ୍ଷୟ ମହାନ୍ତି ।
ଓଡ଼ିଆ ସିନେମାକୁ ଆଗେଇ ନେବାରେ ପ୍ରାଥମିକ ପର୍ୟ୍ୟାୟରେ ତାଙ୍କ ଅବଦାନ ଅତୁଳନୀୟ। ଦଣ୍ଡାବାଳୁଙ୍ଗା,ଜାଇଫୁଲ,ଜଗା ହାତରେ ପଘା,ସଙ୍ଖା ସିନ୍ଦୁର,ମମତା ମାଗେ ମୂଲରେ,ଏଭଳି ରାଶି ରାଶି ଚଳଚ୍ଚିତ୍ରରେ ସଙ୍ଗୀତରେ ନିର୍ଦ୍ଦେଶନା ଦେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅକ୍ଷୟ ମହାନ୍ତି । ଆକାଶ ବାଣୀ କଟକକେନ୍ଦ୍ରରୁ ୧୯୬୩ ମସିହାରେ ଜଣେ ଗୀତିକାର ଭାବେ ଅକ୍ଷୟ ମହାନ୍ତିଙ୍କୁ ସ୍ବୀକୃତି ମିଳିଥିଲା । ୧୯୫୯ ମସିହା ପରଠୁ ଜଣେ ସଂଗୀତ ନିର୍ଦ୍ଦେଶକ ଭାବେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଭିଥିଲା ତାଙ୍କ ସଂଗୀତର ଝଙ୍କାର । ଓଡିଆ ସିନେମା ଜଗତରେ ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ମଲାଜହ୍ନ। କିଛି ଲୁହକୁ ପଣତକାନିରେ ପୋଛିଦିଏ ଅକ୍ଷୟ,ଆଉ କିଛି ଲୁହକୁ ଓଠକୁ ପିଆଇଦିଏ । ଆଉ ନିଜେ ହଜିଯାନ୍ତି ଭାବନାର ଇଲାକାରେ।
ଚିରସବୁଜ ଗାୟକ, ଗୀତିକାର, ସଙ୍ଗୀତକାର ସାହିତ୍ୟିକ, ଅଭିନେତା ଓ ନିର୍ଦେଶକ ଅକ୍ଷୟ ମହାନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସଙ୍ଗୀତକାର ଭାବେ ଅକ୍ଷୟ ମହାନ୍ତି ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶିତ ୧୯୮୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ରରେ ସ୍ୱପ୍ନ ସାଗରରେ କାର୍ୟ୍ୟ କରିଥିଲେ। ବାଟୋଇ ଭାଇ ଯାଉଛ କାହିଁ, ଚିଠି ମୋର ଟିକି ଚଢ଼େଇ ,ସେହି ଚଳଚ୍ଚିତ୍ରର ସୁପରହିଟ୍ ଗୀତ ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁଥିଲା । ଆଜି ଅକ୍ଷୟ ସିନା ନାହାନ୍ତି, ତାଙ୍କ ସେ ମନଛୁଆଁ ସଙ୍ଗୀତକୁ ଆଜିବି ଭୁଲିପାରିନାହାନ୍ତି ସଙ୍ଗୀତପ୍ରେମୀ। ହର୍ସ ହେଉ ଅବା ଉଲ୍ଲାସ,ପ୍ରତି ମୁହୁର୍ତ୍ତରେ ଗୁଣୁଗୁଣଉଛନ୍ତି ତାଙ୍କରି ଗୀତ। ସଭିଏଁ କହୁଛନ୍ତି ଫେରିଆସ ଖୋକା ଭାଇ। ସତରେ ସେ ଅକ୍ଷୟ..ଚିର ଅକ୍ଷୟ।