ଓଡ଼ିଶା 365 (ବ୍ୟୁରୋ): ସତ ହେବାକୁ ଯାଉଛି ମଣିଷର ଇଚ୍ଛା । ଚନ୍ଦ୍ରରେ ଘର କରିବ ମଣିଷ । ଏହାକୁ ସଫଳ କରିବା ପାଇଁ ଯୋଜନା କରୁଛି ନାସା । ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ଆମେରିକାର ସ୍ପେସ୍ ଏଜେନ୍ସି ନାସା ବର୍ତ୍ତମାନ ଲକ୍ଷ୍ୟ ରଖିଛି ଯେ, ଏଥରକ ଚନ୍ଦ୍ରରେ ଦୀର୍ଘକାଳୀନ ରହଣି ହେବ। ଏହି ଯୋଜନାକୁ ସଫଳ କରିବା ପାଇଁ ନାସା ଚନ୍ଦ୍ରରେ ଘର ନିର୍ମାଣ କରିବାକୁ ଯାଉଛି – ଯାହା କେବଳ ମହାକାଶଚାରୀଙ୍କ ଦ୍ୱାରା ନୁହେଁ, ସାଧାରଣ ଲୋକଙ୍କ ଦ୍ୱାରା ମଧ୍ୟ ବ୍ୟବହାର କରାଯାଇପାରିବ।
ସ୍ପେସ୍ ଏଜେନ୍ସି ଚନ୍ଦ୍ରକୁ ଏକ ଥ୍ରୀ-ଡି ପ୍ରିଣ୍ଟର୍ ପ୍ରେରଣ କରି ଚନ୍ଦ୍ରର ଉପର ସ୍ତରରେ ଥିବା ପଥର, ଖଣିଜ ପଦାର୍ଥ ଏବଂ ଧୂଳି ଆଦି ଉପରେ ଅନୁସନ୍ଧାନ କରି ନୂତନ ଜ୍ଞାନକୌଶଳ ମଧ୍ୟ ପ୍ରୟୋଗ କରିବ। ନାସା ଗବେଷକ କହିଛନ୍ତି, ବିଶ୍ବସ୍ତରରେ ଜଣାଶୁଣା ବିଶ୍ୱବିଦ୍ୟାଳୟ ଏବଂ ବେସରକାରୀ କମ୍ପାନୀଙ୍କ ସହଭାଗିତା ମାଧ୍ୟମରେ ଏହି ଚନ୍ଦ୍ର ରହଣି ଯୋଜନାକୁ ସଫଳ କରାଯିବାକୁ ଉଦ୍ୟମ ଚାଲିଛି।
ଜନୈକ ବରିଷ୍ଠ ନିର୍ଦ୍ଦେଶକ ନିକି ୱର୍କାଇଜର କହିଛନ୍ତି ଯେ “ଆମେ ସ୍ଥିର କରିସାରିଲୁଣି ଯେ ଚନ୍ଦ୍ରରେ ପହଞ୍ଚିବା ଅନିବାର୍ୟ୍ୟ ଅଟେ’’। ଫେବୃଆରୀ ୨୦୨୪ରେ ଚନ୍ଦ୍ରକୁ ଏହି ଥ୍ରୀଡ଼ି ପ୍ରିଣ୍ଟର ପ୍ରେରଣ କରାଯିବ, ବର୍ତ୍ତମାନ ଏହାର ପରୀକ୍ଷା ଚାଲିଛି। ୨୦୪୦ ଲକ୍ଷ୍ୟରେ ପହଞ୍ଚିବା ପାଇଁ ନାସା ଟେକ୍ସାସର ଅବସ୍ଥିତ ଏକ ନିର୍ମାଣ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଆଇକନ୍ ସହିତ ସହଭାଗୀ ହୋଇଥିବା ପ୍ରକାଶ। ପ୍ରଥମଥର ୨୦୨୦ରେ ଆଇକନ୍କୁ ନାସା ତରଫରୁ ଅର୍ଥ ଦିଆଯାଇଥିଲା, ୨୦୨୨ରେ ଏହା ମହାକାଶ ଆଧାରିତ ନିର୍ମାଣ ପ୍ରଣାଳୀ ପାଇଁ ନାସା ନିକଟରୁ ଅତିରିକ୍ତ ୬୦ମିଲିୟନ୍ ଡଲାର ଗ୍ରହଣ କରି ଗବେଷଣାକୁ ଆଗକୁ ବଢ଼ାଉଛି।
ଚନ୍ଦ୍ରରେ ରକେଟ୍ ଅବତରଣ ପ୍ୟାଡ୍ ଠାରୁ ଆରମ୍ଭ କରି ବାସସ୍ଥାନ ପର୍ୟ୍ୟନ୍ତ ସବୁକିଛିର ଡିଜାଇନ୍ ଏହି କମ୍ପାନୀ କରିବ। ନାସା ଗବେଷକ ମୁଖ୍ୟ କହିଛନ୍ତି, ଯୁବପିଢ଼ି ଚନ୍ଦ୍ରରେ ବସବାସ ଆରମ୍ଭ କରିବାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଆମେ ସମସ୍ତେ ଅନ୍ୟ ଏକ ସମ୍ଭାବ୍ୟ ପରିସ୍ଥିତି ମଧ୍ୟ ଭାବିବା ଦରକାର ଯେ ପୃଥିବୀରେ ଅଗାମୀ କିଛି ବର୍ଷ ପରେ ସମ୍ବଳ ସରିଯିବ।