ଓଡ଼ିଶା 365 (ବ୍ୟୁରୋ): ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ଲଗାତର ଗାଜା ଉପରେ ଆକ୍ରମଣ କରୁଛି ଇସ୍ରାଏଲ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗାଜା ଅଞ୍ଚଳରେ ଇସ୍ରାଏଲ ୩ ଲକ୍ଷ ରିଜର୍ଭ ଫୋର୍ସ ମୁତୟନ କରିଛି। ଏହା ସତ୍ତ୍ୱେ ଇସ୍ରାଏଲ ହମାସ ମୁଖ୍ୟ ଇସମାଇଲ ହନିୟେଙ୍କ କେଉଁଠାରେ ଅଛି ତାହା ଖୋଜି ବାହାର କରିବାରେ ସକ୍ଷମ ନୁହଁନ୍ତି ।
ଇସମାଇଲ ହନିୟେଙ୍କ ତତ୍ତ୍ୱାବଧାନରେ ହମାସ ଗତ ପଚାଶ ବର୍ଷ ମଧ୍ୟରେ ଇସ୍ରାଏଲ ଉପରେ ସବୁଠାରୁ ନିର୍ଦ୍ଦୟ ଆକ୍ରମଣର ଯୋଜନା କରିଥିଲା। ଇସମାଇଲ ହନିୟ ହମାସର ରାଜନୈତିକ ୱିଙ୍ଗର ମୁଖ୍ୟ ହୋଇଥିବାବେଳେ ମହମ୍ମଦ ଡେଫ ସାମରିକ ୱିଙ୍ଗ ମୁଖ୍ୟ। ଶନିବାର ଦିନ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଇସମାଇଲ ହନିୟେ ପ୍ରଣାମ କରୁଥିବା ଦେଖିବାକୁ ମିଳିଥିଲା। ଖବର ଅନୁଯାୟୀ, ଇସମାଇଲ ବର୍ତ୍ତମାନ କତାରରେ ଅଛି, ସେ ସେଠାରୁ ପୁରା ଅପରେସନ୍ ଉପରେ ନଜର ରଖିଛି।
ଇସମାଇଲ ହନିୟ ୧୯୬୨ ମସିହାରେ ଗାଜା ଅଞ୍ଚଳର ଏକ ଶରଣାର୍ଥୀ ଶିବିରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ ଗାଜାରେ ମିଳିତ ଜାତିସଂଘ ରିଲିଫ୍ ଏବଂ ୱାର୍କ ଏଜେନ୍ସିରେ ହୋଇଥିଲା । ସମ୍ପ୍ରତି ଯୁଦ୍ଧ ସମୟରେ ଗାଜାରେ ଭୂମିହୀନ ଲୋକଙ୍କୁ ସାହାଯ୍ୟ କରିବାରେ ଏହି ଏଜେନ୍ସି ଆଗରେ ରହିଛି। ୧୯୮୧ ମସିହାରେ ଇସମାଇଲ ଗାଜାରେ ଆରବୀୟ ସାହିତ୍ୟ ଅଧ୍ୟୟନ କରିଥିଲେ।
୧୯୮୮ରେ ଇସ୍ରାଏଲ ନିୟନ୍ତ୍ରଣ ବିରୁଦ୍ଧରେ ପ୍ରଥମ ବିଦ୍ରୋହରେ ଜଡିତ ଥିବାରୁ ଇସମାଇଲ ହନିୟଙ୍କୁ ଇସ୍ରାଏଲ କର୍ତ୍ତୃପକ୍ଷ ଗିରଫ କରିଥିଲେ। ଏହି ବିଦ୍ରୋହ ପ୍ରଥମ ଇଣ୍ଟିଫଡା ଭାବରେ ଜଣାଶୁଣା । ଇସମାଇଲ ୬ ମାସ ଜେଲରେ ରହି ୧୯୮୯ ରେ ପୁନର୍ବାର ଗିରଫ ହୋଇଥିଲେ। ଏହା ପରେ ତାଙ୍କୁ ୧୯୯୨ ପର୍ୟ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିଲା। ଏହା ପରେ ଇସ୍ରାଏଲ ୪୦୦ ରୁ ଅଧିକ ବିଦ୍ରୋହୀଙ୍କ ସହିତ ଇସମାଇଲକୁ ଦକ୍ଷିଣ ଲେବାନନକୁ ପଠାଇଲେ ।